ଅନ୍ତର୍ଜାତୀୟ ମହିଳା ଦିବସରେ ୨୯ ଜଣ ମହିଳା ପାଇବେ ନାରୀଶକ୍ତି ସମ୍ମାନ, କଥା ହେଲେ ମୋଦୀ
ନୂଆଦିଲ୍ଲୀ : ଆସନ୍ତାକାଲି (ମଙ୍ଗଳବାର) ପାଳିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ୨୯ ଜଣ ମହିଳାଙ୍କୁ ନାରୀଶକ୍ତି ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି। ଆଜି ଏହି ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଆସନ୍ତାକାଲି ଏହି ବିଶିଷ୍ଟ ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ଆଜି ପୁରସ୍କୃତ ହେବାକୁ ଥିବା ବିଶିଷ୍ଟ ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆସନ୍ତାକାଲି ମଧ୍ୟ ଆୟୋଜିତ ହେବାକୁ ଥିବା ସେମିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ ମଧ୍ୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ସମିନାରରେ ଏକାଧିକ ପ୍ରସଙ୍ଗକୁ ଆଲୋଚନା ପରିସରକୁ ନିଆଯିବ। ଧାର୍ମିକ, ସାଂସ୍କୃତିକ, ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଆଦି ବିଷୟ ସେମିନାରରେ ଆଲୋଚନା ହେବା ନେଇ ସ୍ଥିରୀକୃତ ହୋଇଛି। ସେହିପରି ବିଶେଷ ଭାବେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଚଳାଉଥିବା ଯୋଜନା ଗୁଡିକର ଅବସର ଓ ଏହାର କାର୍ଯ୍ୟକାରୀତା ସମ୍ପର୍କରେ ମଧ୍ୟ ଏହି ସେମିନାରରେ ଆଲୋଚନା ହେବ। କେନ୍ଦ୍ର ମହିଳା ସଶକ୍ତିକରଣ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ସ୍ବାଧି ନିରଞ୍ଜନ ଜ୍ୟୋତି, ଭାରତୀ ପ୍ରବୀଣ ପାଓ୍ବାର ପ୍ରମୁଖ ମଧ୍ୟ ଏହିି ସେମିନାରର ଅଂଶଗ୍ରହଣ କରିବେ।