ଓମିକ୍ରନ୍ ଭ୍ୟାରିଆଣ୍ଟ : ୨ୟ ଡୋଜ ନେବା ପରେ ମଧ୍ୟ ରହୁଛି ସଂକ୍ରମଣ ଆଶଙ୍କା
ଇଂଲଣ୍ଡ : ନୂଆ କୋଭିଡ-୧୯ ଭାରିଆଣ୍ଟ ‘ଓମିକ୍ରନ୍’ ସମଗ୍ର ବିଶ୍ବରେ ନୂଆ ଆତଙ୍କ ଖେଳାଇଥିବାବେଳେ ଏହାକୁ ନେଇ ବିଭିନ୍ନ ଦେଶ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କହିଛନ୍ତି ଏହି ନୂଆ ପ୍ରଜାତିର ଭୂତାଣୁ ଟିକା ଗ୍ରହଣ ସମ୍ପୂର୍ଣ୍ଣ କରିଥିବା ଅର୍ଥାତ ଦୁଇ ଡୋଜ ଟିକା ଗ୍ରହଣ କଲା ପରେ ମଧ୍ୟ ଆକ୍ରାନ୍ତ କରିପାରେ । ବୋରିଶ ଜନସନ କହିଛନ୍ତି, ଏହି ନୂତନ ପ୍ରଜାତି ସମ୍ପର୍କରେ ଅନେକ କିଛି ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣାପଡିନାହିଁ । କିନ୍ତୁ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିରନ୍ତର ଗବେଷଣା ଜାରି ରଖିଛନ୍ତି । ପ୍ରାଥମିକ ଭାବେ ଯାହା ସୂଚନା ମିଳିଛି, ଓମିକ୍ରନ ଭ୍ୟାରିଆଣ୍ଟ ଅତି ଦ୍ରୁତ ଗତିରେ ବ୍ୟାପିପାରେ । ଦୁଇଥର ଟୀକା ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ ମଧ୍ୟ ସଂକ୍ରମଣ ବିସ୍ତାର କରିପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜନସନ ।
ବ୍ରିଟେନରେ ଓମିକ୍ରନର ପ୍ରଥମ ଦୁଇଟି ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଜନସନ ଏପରି ଆଶଙ୍କା ପ୍ରକଟ କରିବା ସହ ସତର୍କ କରାଇଛନ୍ତି । ସେହିପରି ବ୍ରିଟେନର ସ୍ବାସ୍ଥ୍ୟ ସଚିବ ସାଜିଦ୍ ଜାଭିଦ ବ୍ରିଟେନରେ ଦୁଇ ମାମଲା ସାମ୍ନାକୁ ଆସିଥିବା ସୂଚନା ଦେଇଛନ୍ତି । ଗୋଟିଏ ମାମଲା ଚେଲମସଫୋର୍ଡରେ ଏବଂ ଅନ୍ୟଟି ନଟିଂହାମରେ ଚିହ୍ନଟ ହୋଇଛି, ଏବଂ ଉଭୟ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ନିରୀକ୍ଷଣରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ବ୍ରିଟେନ ବ୍ୟତୀତ ଜର୍ମାନୀରେ ମଧ୍ୟ ଏହି ଓମିକ୍ରନରେ ସଂକ୍ରମିତ ପ୍ରଥମ ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ନୂତନ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ କୁ ଚିନ୍ତାର କାରଣ ବୋଲି କହିସାରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ନୂତନ ପ୍ରଜାତି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବା ପରେ ଆମେରିକା, ୟୁରୋପୀୟ ୟୁନିଅନ୍, କାନାଡା, ଇସ୍ରାଏଲ୍, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ଦକ୍ଷିଣ ଆଫ୍ରିକୀୟ ଦେଶରୁ ନିଜ ଦେଶକୁ ବିମାନ ସେବା ଓ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।