ଓମିକ୍ରନ୍ ସାମାନ୍ୟ ନେଇ ଗୁଜବ ପ୍ରଚାର : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ନୂଆଦିଲ୍ଲୀ : ସାରା ବିଶ୍ବରେ ଓମିକ୍ରନ୍ କାୟାବିସ୍ତାର କରିଛି ଏବଂ ଏହାକୁ ‘ସାମାନ୍ୟ’ ବୋଲି ପ୍ରଚାର କରିବା ବିଭ୍ରାନ୍ତିକର ବୋଲି ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । କୋଭିଡ୍-୧୯ ସମ୍ବନ୍ଧରେ ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଟେଡ୍ରସ୍ ଅଧାନମ୍ ଗେବ୍ରେୟସସ୍ କହିଛନ୍ତି ଯେ, ଗତ ସପ୍ତାହରେ ୧୮ ନିୟୁତ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, କିଛି କ୍ଷଣ ପାଇଁ ମୃତ୍ୟୁସଂଖ୍ୟା ସ୍ଥିର ରହିଛି କିନ୍ତୁ, ଅବସନ୍ନ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପଡୁଥିବା ମାତ୍ରାଧିକ ବୋଝର ପ୍ରଭାବ ପାଇଁ ଆମେ ଚିନ୍ତିତ । କେତେକ ଦେଶରେ କରୋନାଭାଇରସ୍ ସଂକ୍ରମଣ ଶିଖର ସ୍ପର୍ଶ କରିଥିବା ପରି ମନେହୁଏ । ଏଥିରୁ ଆଶା ହେଉଛି, ସଦ୍ୟତମ ଲହର୍ର ସବୁଠୁ ମନ୍ଦ ସମୟର ଅବସାନ ଘଟିଛି, କିନ୍ତୁ ଏଯାବତ୍ କୌଣସି ଦେଶ ବିପଦ ମୁକ୍ତ ନୁହେଁ । ସ୍ବଳ୍ପ ଟିକାକରଣ ହୋଇଥିବା ଅନେକ ଦେଶ ପ୍ରତି ମୁଁ ବିଶେଷ ଭାବେ ଚିନ୍ତିତ। ଟିକା ନ ନେଇଥିବା ଲୋକମାନେ ଖୁବ୍ ସାଙ୍ଘାତିକ ଭାବେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡ଼ିପାରନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ପୁଣି କହିଛନ୍ତି, ସାମଗ୍ରିକ ଦୃଷ୍ଟିରୁ ଅବଶ୍ୟ ଓମିକ୍ରନ୍ କମ୍ ମାରାତ୍ମକ ହୋଇଥାଇ ପାରେ, କିନ୍ତୁ, ଏହା ସାମାନ୍ୟ ରୋଗ ବୋଲି ଯେମିତି ବର୍ଣ୍ଣନା କରାଯାଉଛି, ତାହା ବିଭ୍ରାନ୍ତିକର । ଏଭଳି ବର୍ଣ୍ଣନା କୋଭିଡ୍ ବିରୋଧୀ ସାମଗ୍ରିକ ମୁକାବିଲାକୁ ଆଘାତ ଦେବା ସହ ଅଧିକ ମୃତ୍ୟୁର କାରଣ ହେଉଛି । ଭୁଲ୍ କରନ୍ତୁ ନାହିଁ, ଓମିକ୍ରନ୍ ମଧ୍ୟ ଡାକ୍ତରଖାନା ଭର୍ତ୍ତି ଏବଂ ମୃତ୍ୟୁର କାରଣ ହେଉଛି। ସ୍ବଳ୍ପ ମାରାତ୍ମକ ମାମଲା ମଧ୍ୟ ଡାକ୍ତରଖାନାଗୁଡ଼ିକୁ ଭାରାକ୍ରାନ୍ତ କରି ଦେଉଛି । ଭୂତାଣୁ ଅତି ତୀବ୍ର ବେଗରେ ବ୍ୟାପୁଥିବା ବେଳେ ଅନେକ ଏଥିଯୋଗୁଁ ବିପଦ୍ରେ ପଡ଼ିପାରନ୍ତି ।