ଓମିକ୍ରନ୍ ଚିନ୍ତା : ୧୦ଟି ରାଜ୍ୟକୁ ବହୁମୁଖୀ ଦଳ ପଠାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଙ୍କଟକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ସେଥିପାଇଁ ୧୦ଟି ରାଜ୍ୟକୁ ବହୁମୁଖୀ ଦଳ ପଠାଇଛନ୍ତି। ଫଳରେ ବଢ଼ୁଥିବା କରୋନା ମାମଲାକୁ ରୋକାଯାଇ ପାରିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଯେଉଁ ରାଜ୍ୟରେ ଓମିକ୍ରନ୍ ମାମଲା ଲଗାତର ଭାବେ ବଢ଼ିବାରେ ଲାଗିଛି କିମ୍ବା ଟିକାକରଣ ହାର କମ୍ ରହିଛି, ସେଠାକୁ କେନ୍ଦ୍ରୀୟ ଟିମ୍ ପଠାଯିବ। ଏହି ଟିମ୍ ଆଗାମୀ ୩ରୁ ୫ ଦିନ ରାଜ୍ୟରେ ରହିବେ। ଉକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଞ୍ଜାବ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ରାଜ୍ୟର ସଂକ୍ରମିତ ଅଞ୍ଚଳକୁ ଯାଉଥିବା ଦଳ ପ୍ରତିଦିନ ସନ୍ଧ୍ୟା ୭ଟାରେ ଉକ୍ତ ଅଞ୍ଚଳର ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ସୂଚନା ଯେ, ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ସ୍ୱରୂପର ୪୧୫ ମାମଲା ସାମ୍ନାକୁ ଆସିଛି। ଏଥିରେ ୧୧୫ ଲୋକ ସୁସ୍ଥ ହୋଇଛନ୍ତି।