ଆଜି ପୁଣି ବଢ଼ିବ ତେଲ ଦର !
ନୂଆଦିଲ୍ଲୀ : ଦେଶରେ ୧୩୭ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ଗତ ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ ଲଗାତାର ୧୦ଦିନ ମଧ୍ୟରେ ଗୁରୁବାର ସୁଦ୍ଧା ୯ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଲିଟରପିଛା ପାଖାପାଖି ୭ଟଙ୍କା ୨୦ ପଇସା ପାଖାପାଖି ମହଙ୍ଗା ହୋଇଥିଲା । କିନ୍ତୁ ଶୁକ୍ରବାର ଦର ଅପରିବର୍ତ୍ତିତ ରହିଥିଲା । ମାତ୍ର ଶନିବାର ପୁଣି ତେଲ ଦର ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।
ଆଗକୁ ଦେଶର ସ୍ଥିତି ଆହୁରି ଭୟଙ୍କର ହେବ। ମହଙ୍ଗାମାଡ଼ରେ ଲୋକେ ଅସ୍ତବ୍ୟସ୍ତ ହେବେ। କାରଣ ଯେଉଁଭଳି ଭାବରେ ତୈଳ ଦର ସହିତ ତାଳ ଦେଇ ବଜାର ମୂଲ୍ୟ ବଢ଼ୁଛି ଏଥିରେ ସାଧାରଣ ଲୋକେ ଓଳିଏ ଖାଇ ଓଳିଏ ଉପାସ ରହିବା ଥୟ। କରୋନା ସମୟରେ ନିଯୁକ୍ତିର ଅଭାବ ସାଙ୍ଗକୁ ଆଶା ଅନୁସାରେ ଦରମା ନମିଳୁଥିବା ବେଳେ ବଜାର ଦର କିନ୍ତୁ ସରକାରଙ୍କର ଈଶାରାରେ ବଢ଼ି ଚାଲିଛି। ଦିଲ୍ଲୀରେ ପେଟ୍ରୋଲ ଦର ୧୦୦ ପାର ହୋଇସାରିଛି। ଆଉ ଶନିବାର ସକାଳେ ମୂଲ୍ୟ ବଢ଼ିଲେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨.୬୧ ଟଙ୍କା ଓ ଡିଜେଲ ୯୩.୮୭ ଟଙ୍କାରେ ବିକ୍ରି ହେବ। ଅନ୍ୟପଟେ ଋଷ-ୟୁକ୍ରେନ୍ ଯୁଦ୍ଧ ସତ୍ତ୍ୱେ ବି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୧୦୦ ଡଲାର ପ୍ରତି ବେରଲ ହୋଇଛି।ଅନ୍ୟପଟେ ଭାରତ ଋଷ ଠାରୁ ବହୁଳ ମାତ୍ରାରେ ଅଶୋଧିତ ତେଲ କିଣିଛି। ସାରା ବିଶ୍ୱ ଋଷ ଉପରେ ପ୍ରତିବନ୍ଧକ ଲଗାଉଥିବା ବେଳେ ଋଷ ଭାରତକୁ ରିହାତି ମୂଲ୍ୟରେ ତେଲ ବିକ୍ରି କରୁଛି। ତଥାପି ବି ଦେଶରେ ତେଲ ଦାମ କମ ହେବା ପରିବର୍ତ୍ତେ ବଢ଼ି ଚାଲିଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମୁଥିଲେ ବି ସରକାର କିନ୍ତୁ ଉପଭୋକ୍ତାଙ୍କ ଉପରେ ମହଙ୍ଗାମାଡ଼ ଲଦି ଚାଲିଛନ୍ତି।