ଆସନ୍ତାକାଲି ଅଫ୍ଲାଇନ୍ ମାଟ୍ରିକ ପରୀକ୍ଷା
- ୫୦୪ କେନ୍ଦ୍ରରେ ୧୫ହଜାର ୧୩୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
କଟକ : ବହୁ ବାଦ ବିବାଦ ପରେ ଗୁରୁବାର ଠାରୁ ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଯେଉଁମାନେ ସେମାନଙ୍କର ଫଳାଫଳରେ ସନ୍ତୁଷ୍ଟ ହୋଇନଥିଲେ ସେମାନେ ଏହି ପରୀକ୍ଷା ପାଇଁ ପୁନଃ ଆବେଦନ କରିଥିଲେ । ଏଥର ୧୫ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୫୦୪ଟି କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ପ୍ରବେଶ ଅନୁମତି ଦିଆଯିବ । ସେହିପରି ପରୀକ୍ଷାରେ ନିୟୋଜିତ ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ଟେଷ୍ଟିଂ କରାଯାଇଛି । ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବୋର୍ଡ ସଭାପତି ଡ. ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ସୂଚନା ଯେ, ଚଳିତବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ସ୍ୱରୂପ ନବମ ଓ ଦଶମ ପ୍ରିବୋର୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇଥିଲା । ଏହି ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ତେବେ ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ଯେଉଁମାନେ ଫଳାଫଳରେ ଅସନ୍ତୋଷ ପ୍ରକାଶ କରିବେ ସେମାନେ ପୁଣିଥରେ ଆବେଦନ କରିଲେ ଅଫଲାଇନ୍ ମାଧ୍ୟମରେ ଉକ୍ତ ପରୀକ୍ଷା କରାଯିବ ଏବଂ ଏହି ପରୀକ୍ଷାର ଫଳ ସେହି ଛାତ୍ରଛାତ୍ରୀମାନଙ୍କର ନିଧାର୍ଯ୍ୟ ରହିବ । କୋଭିଡ ନିୟମ ପାଳନ କରି ହେବ ପରୀକ୍ଷା । ୩୦ରୁ ୫ ଯାଏ ହେବ ପରୀକ୍ଷା । ନିର୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି ।