ଆଜିଠୁ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା
କଟକ : ରାଜ୍ୟରେ ଆଜି ଠାରୁ ଆରମ୍ଭ ହେବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ରେଗୁଲାର ପରୀକ୍ଷାର୍ଥୀ ଭାବେ ୬ହଜାର ୫ଶହ ୯୭, ମଧ୍ୟମା ଏବଂ ଓପନ୍ ସ୍କୁଲକୁ ମିଶାଇ ମୋଟ୍ ୧୫ହଜାର ୧୫୧ ଜଣ ପରୀକ୍ଷା ଦେବେ । ଏଥିପାଇଁ ୫୦୪ଟି କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ପ୍ରବେଶ ଅନୁମତି ଦିଆଯିବ । ସେହିପରି ପରୀକ୍ଷାରେ ନିୟୋଜିତ ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ଟେଷ୍ଟିଂ କରାଯାଇଛି । ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବୋର୍ଡ ସଭାପତି ଡ. ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବହୁ ବାଦ ବିବାଦ ସହ ଅସନ୍ତୋଷ ଦେଖାଦେଇଥିଲା । ତେବେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଉ ଥରେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା । ସେହି ଆଧାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ରେଗୁଲାରରେ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ମୋଟ୍ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିଭଳି ମଧ୍ୟମାରେ ୬୧ ଜଣ ଛାତ୍ରଛାତ୍ରୀ ଓ ଏସଓଏସି ତଥା ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୮ ହଜାର ୪ ଶହ ୯୩ ଜଣ ପରୀକ୍ଷା ଦେବ । ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍ ୫୦୪ଟି ସେଣ୍ଟର ହୋଇଥିବା ବେଳେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୂତି ଚୂଡାନ୍ତ ହୋଇଥିବା ବୋର୍ଡ ସଭାପତି କହିଥିଲେ ।