ଫେସବୁକରେ ଆପତ୍ତିଜନକ ପୋଷ୍ଟ : ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା
ଲକ୍ଷ୍ନୌ : ମାର୍କ ଜୁକରବର୍ଗଙ୍କ ନାଁରେ ମାମଲା । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଫେସବୁକରେ ଏକ ବିବାଦୀୟ ପୋଷ୍ଟ ସାମନାକୁ ଆସିଛି । ଏହାପରେ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କ ନାଁରେ ଉତ୍ତରପ୍ରଦେଶର କନୌଜସ୍ଥିତ ଏକ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି । ଜୁକରବର୍ଗଙ୍କ ସମେତ ଅନ୍ୟ ୪୯ ଜଣଙ୍କ ଏଥିରେ ଅଭିଯୁକ୍ତ ଦର୍ଶାଯାଇଛି । ଜୁକରବର୍ଗ ନିଜେ ପୋଷ୍ଟ କରି ନଥିଲେ ହେଁ ତାଙ୍କ ପ୍ଲାର୍ଟଫର୍ମକୁ ଆପତ୍ତିଜନକ ମନ୍ତବ୍ୟ ଦେବା ନିମନ୍ତେ ବ୍ୟବହାର କରାଯାଇଥିବାରୁ ତାଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ରିପୋର୍ଟ ଅନୁସାରେ କନୌଜ ଜିଲ୍ଲା ସରାହାତୀ ଗ୍ରାମ ବାସିନ୍ଦା ଅମିତ କୁମାର ଜୁକରବର୍ଗଙ୍କ ସମେତ ୪୯ଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏସପି ମୁଖ୍ୟ ଅଖିଳେଶଙ୍କ ଛବି ଖରାପ କରିବା ପାଇଁ ଫେସବୁକ ପେଜରେ ‘ବୁଆ ବବୁଆ’ରେ ଉଦ୍ୟମ ହୋଇଥିବା ଦର୍ଶାଯାଇଛି । ୨୦୧୯ରେ ବିଏସ୍ପିର ମୁଖ୍ୟ ମାୟାବତୀ ଓ ଅଖିଳେଶ ଯାଦବ ମେଣ୍ଟ କରିଥିଲେ। ତେଣୁ ମାୟାବତୀଙ୍କୁ ବୁଆ ଓ ଅଖିଳେଶଙ୍କୁ ବବୁଆ କହି ଅନେକ ପ୍ରଚାର କରାଯାଉଥିଲା। ଏହାକୁ ଆଧାର କରି ବୁଆ ବବୁଆ ନାଁରେ ଫେସବୁକ ପେଜ ତିଆରି କରାଯାଇଛି। ମେ’ ୨୫ରେ ଅମିତ କୁମାର ପ୍ରଥମେ ଏସ୍ପିଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ହେଲେ ସେ କୌଣସି ପଦକ୍ଷେପ ନ ନେବାରୁ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।