ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ : ରାଜ୍ୟପାଳ
ଭୁବନେଶ୍ୱର : ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ । ବ୍ୟବସାୟଜଗତରେ ଏହାର ବିଶେଷ ପ୍ରୟୋଗ ଏବେ ଦେଖିବାକୁ ମିଳୁଛି । ଏହା ନିଶ୍ଚିତ ରୂପେ ଏକ ବିକୃତି । ଏହାର ସଂଶୋଧନ କରିବା ସହ ବିଚାରଗତ ସ୍ତରରେ ଏହାର ସକାରାତ୍ମକ ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।
ନାଲ୍କୋଶ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପଞ୍ଚଭୂତରେ ଗଢା ଏ ପୃଥିବୀ । ଶରୀର ମଧ୍ୟ ସେହି ପଞ୍ଚଭୂତରେ ତିଆରି । ଏହି ପାଞ୍ଚ ଗୋଟି ମୌଳିକ ଉପାଦାନକୁ ନେଇ ଆମର ସୃଷ୍ଟି ଓ ସଂସାର । ପ୍ରକୃତି ଓ ପୁରୁଷର ମିଳନରେ ଦୃଶ୍ୟମାନ ଜଗତର ସୃଷ୍ଟି । ଏହା ହିଁ ଆଧ୍ୟାତ୍ମିକତାର ଭିତ୍ତି । ଏହି ତତ୍ତ୍ୱକୁ ଧ୍ୟାନରେ ରଖି ପ୍ରକୃତି ଓ ପୁରୁଷ ମଧ୍ୟରେ କୌଣସି ଅସମନ୍ୱୟର କାରଣ ନହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ସୃଷ୍ଟିରେ ସଂହତି ଏକାନ୍ତ ଜରୁରୀ । ଏହା ହିଁ ସ୍ଥିତି ଓ ପ୍ରଗତିର ହେତୁ । ଏହି ସଂହତି ବଜାୟ ରଖିବା ଓ ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସମନ୍ୱୟ ସ୍ଥାପନ ନିମନ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ନାଲ୍କୋରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।