ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶାର ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ପବିତ୍ର ଗଣେଶ ପୂଜା ଅବସରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମିଳିତ ଭାବେ ନୂଆ ଅତ୍ୟାଧୁନିକ ଏଲଏଚବି ରେକ୍ ସହ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ୱତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସର ଶ୍ରୀଗଣେଶ କରିଛନ୍ତି ।
ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ତଥା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡିଶା ରେଳ ଭିତିଭୂମିକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ଏହି ସୁବିଧା ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହି ଅତ୍ୟାଧୁନିକ କୋଚ୍ ଦ୍ୱାରା ତିନୋଟି ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । ଭୁବନେଶ୍ୱର-ଜଗଦଲପୁର-ହୀରାଖଣ୍ଡ ଏକ୍ସପ୍ରେସ ନୂଆ ଅତ୍ୟାଧୁନିକ ଏଲଏଚବି କୋଚ୍ ଗୁଡ଼ିକ ନିଶ୍ଚିତ ଭାବେ ଯାତ୍ରୀ ମାନଙ୍କୁ ଉତମଏବଂ ଆରାମଦାୟକ ସୁବିଧା ଯୋଗାଇବ ଏବଂ ଅଧିକ ଉର୍ଜା ସଂଚୟ ହୋଇପାରିବ । ମୋଦି ସରକାର ଯାହା କୁହନ୍ତି ତାହା କରନ୍ତି । ମୋଦି ସରକାରରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ବିପୁଳ ଅର୍ଥ ମିଳିଛି । ନୂଆ ରେଳ ଲାଇନ, ରେଳ ଲାଇନର ଦୋହରୀକରଣ, ବିଦ୍ୟୁତକରଣ, ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଆନୁଷାଙ୍ଗିକ ସୁବିଧାକୁ ମୋଦି ସରକାରରେ ସର୍ବାଧିକ ପ୍ରଧାନ୍ୟ ଦିଆଯାଇଛି । ଓଡ଼ିଶା ପରି ରାଜ୍ୟର ସାଧାରଣ ଲୋକମାନେ ଉଡାନ୍ ଯୋଜନାରେ ବିମାନ ସେବାର ଲାଭ ପାଇପାରୁଛନ୍ତି । ଜନଜାତି ଅଧ୍ୟୁଷିତ ଅଂଚଳ ସୁଦୂର ରାୟଗଡ଼ା – କୋରାପୁଟ ଅଂଚଳର ଲୋକମାନେ ଟ୍ରେନରେ ଯାତ୍ରା କରିପାରିବାର ସ୍ୱପ୍ନ ମଧ୍ୟ ସାକାର ହୋଇପାରିଛି । ଏହା କଲ୍ୟାଣକାରୀ ମୋଦି ସରକାରଙ୍କ କାରଣରୁ ସମ୍ଭବ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।