ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବାକୁ ସୁଯୋଗ ଦିଆଗଲେ ଓଡ଼ିଶା ଦେବ ସମର୍ଥନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଋଷ-ୟୁକ୍ରେନ ଯୁଦ୍ଧ ୧୧ଦିନରେ ପହଞ୍ଚିଥିବା ବେଳେ ଏବେ ୟୁକ୍ରେନ ଉପରେ ମିସାଇଲ ମାଡ କରି ଛାରକାର କରିଦେଇଛି ଋଷ । ଭାରତର ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀ ୟୁକ୍ରେନକୁ ପଢିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଯୁଦ୍ଧ ହେବା କାରଣରୁ ସେମାନେ ନିଜ ଘରକୁ ଫେରି ଆସୁଛନ୍ତି। ଫଳରେ ସେମାନଙ୍କ ପାଠ ପଢାରେ ବ୍ୟାଘତ ସୃଷ୍ଟି ହୋଇଛି । ତେଣୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜ ଦାବି ମୋଦୀଙ୍କୁ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ”ୟୁକ୍ରେନ ସଙ୍କଟ ଯୋଗୁଁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହୋଇଛି । ଦେଶର ଅନେକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଆସିଛନ୍ତି । ଏବେ ଏହି ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢାର ବ୍ୟବସ୍ଥା କରାଯାଉ । ଦେଶର ମେଡ଼ିକାଲ କଲେଜରେ ସେମାନଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଉ। ନ୍ୟାସନାଲ ମେଡିକାଲ କମିସନ ଓ ମନ୍ତ୍ରାଳୟ ସହିତ ଆଲୋଚନା କରିବାକୁ ନବୀନ ଅନୁରୋଧ କରିଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୋଗୁଁ ଏବେ ଅନେକ ମେଡିକାଲ ଛାତ୍ର ଭାରତ ଫେରିସାରିଛନ୍ତି। ଏଥିରେ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ । ସେଠାରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ସେମାନେ ସେଠାରୁ ଫେରିଆସିଛନ୍ତି ।