ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଠାରେ ଆଜି ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା , ସମାଜସେବୀ ସୁବାସିନି ଜେନା, ଷ୍ଟେସନ କ୍ଳବ୍ ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉଦ୍ବୋଧନ ଦେଇ ଦେଶ ଗଠନରେ ଗଣ ମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ । ସାମ୍ବାଦିକ ମାନେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜାଗ୍ରତ ପ୍ରହରୀଭାବେ କାର୍ଯ୍ୟ କରିଥାନ୍ତି । ସୀମାରେ ସେନା ବାହିନୀ କାର୍ଯ୍ୟ କରିବା ପରି ଦେଶ ଭିତରେ ସାମ୍ବାଦିକମାନେ ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା ସମ୍ପର୍କରେ ଲୋକଲୋଚନକୁ ନିଜର ଲେଖା ମାଧ୍ୟମରେ ଆଣିଥାନ୍ତି । ଏହାଦ୍ୱାରା ସରକାର ସଚେତନ ହୋଇ କାର୍ଯ୍ୟ କରିଥାନ୍ତି । ଅନ୍ୟ ପକ୍ଷରେ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାରେ ସାମ୍ବାଦିକ ମାନେ ପ୍ରମୁଖ ଦାୟିତ୍ୱ ନିର୍ବାହ କରନ୍ତି । ତେଣୁ ଗଣ ମାଧ୍ୟମରେ କାର୍ଯ୍ୟ କରୁଥିବା ସମସ୍ତ ସାମ୍ବାଦିକ କୌଣସି ପ୍ରକାର ଖବର ପରିବେଷଣ କରିବା ବେଳେ ପକ୍ଷପାତିତା ସମ୍ବଳିତ ଖବର ପ୍ରକାଶ ନ କରିବା ଉଚିତ୍ । ସମାଜର ହିତ ପାଇଁ ସାମ୍ବାଦିକ ମାନେ ଅତି ରଞ୍ଜିତ, ଅଶ୍ଳୀଳ, ମନୋରଞ୍ଜନ ଧର୍ମୀ ସମ୍ବାଦ ପ୍ରକାଶନ ବେଳେ ସମାଜ ଉପରେ ତାର ବିପରୀତ ପ୍ରଭାବ ପଡୁଛିକି ନାହିଁ ସେ ସମ୍ପର୍କରେ ସଚେତନ ହେବାକୁ ବକ୍ତା ମାନେ ପରାମର୍ଶ ଦେଇଥିଲେ ।
ଜିଲା ଶାଖା ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ଉପଦେଷ୍ଟା ଶିବଦାସ କୁଣ୍ଡୁ, ମନୋଜ କୁମାର ରାଉଳ, ରାମନାରାୟଣ ଶତପଥୀ, ରଶ୍ମୀ ରଞ୍ଜନ ଦାଶ, ଶିଶିର କୁମାର ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଉବାଚକ ମହାନ୍ତି, ଓଡ଼ିଶା ଖବର ସମ୍ପାଦକ ଅମିୟ କୁମାର ମହାନ୍ତି, ସେଇଠୁ ଆରମ୍ଭର ସମ୍ପାଦକ ଶୁଭେନ୍ଦୁ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏଥିସହିତ ରତିକାନ୍ତ ପାତ୍ର, ପ୍ରସନ୍ନ ଜିତ୍ ଆଶ, ସେକ୍ ହାଇଦର, ଆଶୁତୋଷ ମଲ୍ଲିକ, ଅଜିତ କୁମାର ମହାନ୍ତି, ସୁରେଶ କୁମାର ଦାସ, ଅଧିପ ଜେନା, ମହେଶ୍ୱର ପ୍ରଧାନ, ରବୀନ୍ଦ୍ର ମହାକୁଡ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ମାନସ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।