ଡହ ଡହ ଖରାରେ ସିଝୁଛି ଓଡ଼ିଶା ! ଆଜି ୭ ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ପ୍ରବଳ ତାତି ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ପ୍ରବାହ ନେଇ ଶନିବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ଅସୁସ୍ଥ ଥିବା ଲୋକଙ୍କ ସହିତ ନବଜାତ ଓ ବୃଦ୍ଧଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ହେବ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । ଫସଲଗୁଡିକର ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଯେ, ଚଳିତ ବର୍ଷରେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ରେକର୍ଡ କରାଯାଇଛି । ବୌଦ୍ଧରେ କ୍ରମାଗତ ଦ୍ୱିତୀୟ ଦିନ ସର୍ବାଧିକ ତାପମାତ୍ରା ଥିଲା । ଏହାସହିତ ଶୁକ୍ରବାର ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଓ ୫ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଅନୁଗୋଳରେ ୪୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଦେବଗଡ଼ ୪୪. ୬, ତାଳଚେର ୪୪. ୫ ଓ ବଲାଙ୍ଗିର ୪୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୪୩.୮ ଓ ସୋନପୁରରେ ୪୩.୬ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରୀ ଓ କଟକ ୪୦.୧ ଡିଗ୍ରୀ ରହିଛି ।