ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ! ଯୋଗଦେଲେ ୪୦୦ରୁ ଅଧିକ ଶିଳ୍ପ ପ୍ରତିନିଧି, ନବୀନଙ୍କୁ ଭେଟିଲେ ୨୦ ଶିଳ୍ପପତି
ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଶିଳ୍ପ ସଂଘ ଫିକି ସହଯୋଗରେ ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ଓ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ନୂଆ ଶିଳ୍ପ ଯୁଗରେ ଓଡ଼ିଶା ସହ ଯୋଡ଼ି ହେବା ଲାଗି ନିବେଶକମାନଙ୍କୁ ସେ ଆହ୍ବାନ ଦେଇଛନ୍ତି। ନିଯୁକ୍ତି ଭିତ୍ତିକ ଶିଳ୍ପ ବିକାଶ ପାଇଁ ଓଡ଼ିଶା ପ୍ରତିବଦ୍ଧ ରହିଛି। ଆମ ସରକାର ଯାହା କୁହେ ତାହା କରିଥାଏ ବୋଲି ସେ କହିଛନ୍ତି।
ଏହି ନିବେଶକ ସମ୍ମିଳନୀରେ ଶିଳ୍ପ ଜଗତର ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ରେ ଅଂଶଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି। କିଛି ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବହୁ ପ୍ରତିଷ୍ଠିତ ଆଇଟି କଂପାନି ଓଡ଼ିଶାରେ ସେମାନଙ୍କ ସେଣ୍ଟର ସ୍ଥାପନ କରିଛନ୍ତି। ରାଜ୍ୟରେ ଏକ ବଳିଷ୍ଠ ଷ୍ଟାର୍ଟଅପ୍ ବ୍ୟବସ୍ଥା ରହିଛି। ସକ୍ରିୟ ମାନୁଫାକଚରିଂ ନିବେଶରେ ଭାରତର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରୢାଙ୍କିଙ୍ଗ୍ରେ ରାଜ୍ୟ ‘ଆଚିଭର୍ସ’ ବର୍ଗରେ ସ୍ଥାନ ପାଇଛି। ସାରା ଦୁନିଆକୁ ଆମ ଅଭିବୃଦ୍ଧି କାହାଣୀ ବିଷୟରେ ଅବଗତ କରିବା ଲାଗି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆମ ପାଇଁ ଏକ ମଞ୍ଚ ବୋଲି ସେ କହିଛନ୍ତି। ଏହି ଅବସରରେ ଇଙ୍କ୍ଚୁର ଇଣ୍ଡିଆର ସେଣ୍ଟର ମୁଖ୍ୟ ରଣଜିତ କୁମାର, କନ୍ସଣ୍ଟ୍ରିକ୍ସ ଦକ୍ଷ ସର୍ଭିସେସ୍ର ସଭାପତି ଗିରିଶ ମେନନ, ଏବିବି ଲିମିଟେଡ୍ର ସିଏଫ୍ଓ ଟି କେ ଶ୍ରୀଧର, ଇଣ୍ଡୋ ନିସିନ୍ ଫୁଡ୍ସର ଏମ୍ଡି ଓ ସିଇଓ ଗୌତମ ଶର୍ମା, ଗୋଲକଦାସ ଏକ୍ସପୋର୍ଟସ୍ର ଏମ୍ଡି ଶିବା ଗଣପତି, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି ଏସ୍ ଗଣେଶ, ଗ୍ଲୋବାଲ ଫାଉଣ୍ଡ୍ରିର କଣ୍ଟ୍ରି ହେଡ୍ ଜିତେନ୍ଦ୍ର ଚଢ଼ା, ଇଣ୍ଟେଲ୍ ଟେକ୍ ଇଣ୍ଡିଆର କଣ୍ଟ୍ରି ହେଡ୍ ନିଭୃତି ରାଏ, କଟନ ୱାର୍ଲଡ୍ର ଏମ୍ଡି ବି ଏନ୍ ମୋନାପ୍ପା, ୱାଣ୍ଣର୍ଲାର ଏମ୍ଡି ଅରୁଣ ଚିତାପାଲ୍ଲି, ଡଲାର ଇଣ୍ଡଷ୍ଟ୍ରିଜ୍ର ଏମ୍ଡି ବିନୟ କୁମାର ଗୁପ୍ତା, ଇଣ୍ଡିଆନ୍ ଡିଜାଇନ୍ସର ସିଏମ୍ଡି ନାସିର ହୁମାୟୁନ୍ ଓ ଇଣ୍ଡିଆ ଷ୍ଟିଚେସ୍ର ସିଏମ୍ଡି ବିଶାଲ ସେହଗଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଗତକାଲି ୱିପ୍ରୋର ମୁଖ୍ୟ ଅଜିମ୍ ପ୍ରେମ୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।
ନିବେଶକମାନଙ୍କୁ ସମ୍ବୋଧିତ କରି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ନିବେଶକମାନଙ୍କ ପାଇଁ ଓଡ଼ିଶା ପସନ୍ଦର ରାଜ୍ୟରେ ପରିଣତ ହୋଇଛି। ଆମେ ଶିଳ୍ପପତି, ଶିଳ୍ପ ସଂଘ ଓ ସମସ୍ତ ସଦସ୍ୟଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରୁଛୁ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ର ବିଭିନ୍ନ ଦିଗ ଉପରେ ନିବେଶକମାନଙ୍କୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକି କର୍ଣ୍ଣାଟକ ରାଜ୍ୟ ପରିଷଦର ଅଧ୍ୟକ୍ଷ କେ ଉଲ୍ଲାସ କାମାତ, ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍କାର୍ ରାଏ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବେଙ୍ଗାଲୁରୁ ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ। ପୂର୍ବରୁ ୨୦୧୬ରେ ମେକ୍ ଇନ୍ ଓଡ଼ିଶାର ପ୍ରଥମ ଓ ୨୦୧୮ରେ ଦ୍ବିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚତୁର୍ଥ ସଂସ୍କରଣରେ ରେକର୍ଡ ସଂଖ୍ୟକ ନିବେଶ ପ୍ରସ୍ତାବ ହାସଲ କରିବା ଲାଗି ସରକାର ବିଭିନ୍ନ ସହରରେ ରୋଡ୍ ସୋ’ ଓ ନିବେଶକ ସମ୍ମିଳନୀ ଆୟୋଜନ କରୁଛନ୍ତି।
ସୂଚନା ଯେ, ଏହି ନିବେଶକ ସମ୍ମିଳନୀର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେଶ । ମେକ୍ ଇନ ଓଡ଼ିଶା କନକ୍ଳେଭ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।