ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖାର ସ୍ଥାୟୀ ନିଯୁକ୍ତି ଦାବି ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
କେନ୍ଦୁଝର : ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଅର୍ନ୍ତଗତ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବ୍ଲକ୍ର କାର୍ଯ୍ୟରତ ଠିକା କର୍ମଚାରୀମାନେ ତା ୧୪.୧୧.୨୦୨୨ରିଖ ସୋମବାର ଦିନ ଏକ ବିଶାଳ ରାଲି କେନ୍ଦୁଝର ସହରର ନଗରଭବନଠାରୁ ବାହାରି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସ୍ମାରକପତ୍ର ଅର୍ପଣ କରିଛନ୍ତି । ପ୍ରାରମ୍ଭରେ କେନ୍ଦୁଝର ସହରର ନଗରଭବନଠାରେ ମା’ତାରିଣୀଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଆମ ସମସ୍ତଙ୍କର ନ୍ୟାର୍ଯ୍ୟ ଦାବି ହେଉଛି ସ୍ଥାୟୀ ନିଯୁକ୍ତି, ସରକାରଙ୍କ ପାଖରେ ଉକ୍ତ ଦାବିକୁ ପହଂଚାଇ କିପରି ସ୍ଥାୟୀ ନିଯୁକ୍ତି ହେବ ସେ ବିଷୟରେ ଅବତାରଣା କରିଥିଲେ । କେନ୍ଦୁଝର ଜିଲ୍ଲାଶାଖା ସଂଘର ଉପସଭାପତି ଚନ୍ଦନ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ସମାରୋହରେ ସଂଘର ଆଡ୍ଭାଇଜର ନିତ୍ୟରଞ୍ଜନ ବରାଳ, କୋଷାଧ୍ୟକ୍ଷ କ୍ଷୀରାବ୍ଧୀ ତନୟା ମହାରଣା, ସ୍ପୋକ୍ ପର୍ସନ ବଳଦେବ ନନ୍ଦ, ତାପସ କୁମାର ଜେନା ଏବଂ ସଦସ୍ୟ ରବିନ୍ଦ୍ର କୁମାର ଜେନା ଓ ଶ୍ରୀମତୀ ସୁନିତା ଦାସ ପ୍ରମୁଖ ସଂଘ ବିଷୟରେ ସୁବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଡାକ୍ତର ଉତ୍କଳ ବେହେରା, ସାଧାରଣ ସଂପାଦକ ଡାକ୍ତର ପ୍ରଣବ ପ୍ରକାଶ ଶର୍ମା ଓ ଡାକ୍ତର କ୍ଷୀରୋଦ ମହାନ୍ତ, କନ୍ଭେନର ଡାକ୍ତର ବି. ପଣ୍ଡା, ଯୁଗ୍ମ ସଂପାଦକ ବ୍ରହ୍ମାନନ୍ଦ ସାହୁ ଓ ବିଜନ କୁମାର ସାହୁ, ଆଡ୍ଭାଇଜର ଡାକ୍ତର ଜ୍ୟୋତିରଞ୍ଜନ ରାଉତ ଓ ପ୍ରସନ୍ନ ଦେବତା, ମେଡିଆ କୋଅର୍ଡିନେଟର ଚିତରଞ୍ଜନ ଜେନା ଓ ଶକ୍ତି ମହାନ୍ତି, ସଦସ୍ୟ ଦୀପକ କୁମାର ସାହୁ ଓ ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖାର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି କର୍ମଚାରୀମାନେ ଓଡ଼ିଶାର ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଆସୁଛନ୍ତି । ଯାହାକି ମହାମାରୀ, ଦୁରାରୋଗ୍ୟ କୁଷ୍ଠ, ଯକ୍ଷ୍ମା, ମ୍ୟାଲେରିଆ, ପୋଲିଓ, ଏଡ୍ସ୍, ଡେଙ୍ଗୁ ଆଦି ରୋଗକୁ ନିଜର ଦକ୍ଷ ସ୍ୱାସ୍ଥ୍ୟସେବା ପରିଚାଳନାରେ ନିୟନ୍ତ୍ରଣ କରିପାରିଛନ୍ତି । ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର, ଜନସଂଖ୍ୟା ନିୟନ୍ତ୍ରଣ ଭଳି ସ୍ୱାସ୍ଥ୍ୟ ସୂଚକାଙ୍କ ଆଶାତୀତ ଭାବରେ ହ୍ରାସ, କୋଭିଡ୍ ଭଳି ମହାମାରୀ ସମୟରେ ଉତମ ସ୍ୱାସ୍ଥ୍ୟ ସେବା ପରିଚାଳନା କରି ଶହ ଶହ ଲୋକଙ୍କୁ ମୃତ୍ୟୁ ମୁଖରୁ ବଂଚାଇ ପାରିଛନ୍ତି ଏବଂ କୋଭିଡ୍ ରୋଗର ପ୍ରତିଷେଧକ ନିମନ୍ତେ ୩୦ ଲକ୍ଷରୁ ଅଧିକ କୋଭିଡ୍ ଟୀକା କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଯୋଗାଇଦେଇଛନ୍ତି । ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟଭିତିକ ଯୋଜନାକୁ ସୁପରିଚାଳନା କରିଆସୁଥିଲେ ମଧ୍ୟ ଉକ୍ତ ସଂଘର କର୍ମଚାରୀମାନଙ୍କୁ ନିୟମିତ କରାଯାଇ ନାହିଁ । ଯେତେବେଳେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଅଧୀନରେ କାର୍ଯ୍ୟରତ ୮୮୧୪ ରୁ ଉର୍ଦ୍ଧ୍ୱ ପ୍ରକୃତ ଠିକା କର୍ମଚାରୀଙ୍କୁ ବାଦ୍ ଦେଇ ଚଳିତ ବର୍ଷ ଅକ୍ଟୋବର ମାସ ୧୬ ତାରିଖ ଦିନ ସରକାର ଠିକା ପ୍ରଥା ଉଚ୍ଛେଦର ଘୋଷଣା କରି ଅନ୍ୟାନ୍ୟ ବିଭିନ୍ନ ବିଭାଗର ୫୭ ହଜାର ଠିକା କର୍ମଚାରୀମାନଙ୍କୁ ଚାକିରି ନିୟମିତ କରିଥିଲେ ଏବଂ ଉକ୍ତ ସଂଘର କର୍ମଚାରୀମାନେ ଠିକା ନିଯୁକ୍ତିରେ ପୁନଶ୍ଚ ରହିବାର ବ୍ୟବସ୍ଥା କଲେ, ସେଥିପାଇଁ ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ସମସ୍ତ କର୍ମଚାରୀ ଦୁଃଖରେ ମର୍ମାହତ ହୋଇପଡିଛନ୍ତି । ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୧୨ ତାରିଖ ଠାରୁ ଓଡିଶା ସରକାର ସଂଘର ନାର୍ଯ୍ୟ ଦାବୀ – ସ୍ଥାୟୀ ଚାକିରି ବିଷୟରେ କୌଣସି ପଦକ୍ଷେପ ନେଉନଥିବାରୁ ଉକ୍ତ ସଂଘର କର୍ମଚାରୀମାନେ ଜରୁରୀ ବିଭାଗରେ କାର୍ଯ୍ୟରତ ଥିଲେ ମଧ୍ୟ ନିଜର ଇଚ୍ଛା ବିରୁଦ୍ଧରେ ଯାଇ କାର୍ଯ୍ୟସ୍ଥଳରେ ହଳଦିଆ ବ୍ୟାଜ୍ (ଆଶାର ଆଲୋକ) ପିନ୍ଧି ସମସ୍ତ କାର୍ଯ୍ୟରେ ଓଡିଶା ସରକାରଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅସହଯୋଗ କରିଆସୁଛନ୍ତି ଏବଂ ଆସନ୍ତା ୨୧.୧୧.୨୦୨୨ ରିଖ ସୋମବାର ଦିନ ସଂଘର ସମସ୍ତ ଠିକା କର୍ମଚାରୀ ମହାତ୍ମା ଗାନ୍ଧୀ ମାର୍ଗରେ ବିଶାଳ ସମାବେଶ କରି ଗଣଧାରଣା ଦେବା ସହିତ ଆଗାମୀ ଦିନରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।