କଳ୍ପନା ଜଳ୍ପନାର ଅନ୍ତ! ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
* କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ
* ଆସନ୍ତାକାଲି ନେବେ ଶପଥ
ଭୁବନେଶ୍ବର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝୀ । ସେହିପରି ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ହେବେ ଉପ-ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେଇଛି । ତେବେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲାରେ ଓଡିଶାରେ ସରକାର ଗଢିବ ବିଜେପି । ଆସନ୍ତାକାଲି ଏହି ନେତାମାନେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ବୋଲି ଜଣାପଡିଛି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ପରେ ମୋହନ ମାଝୀଙ୍କ ନାଁ ଘୋଷଣା କରାଯାଇଛି । ଏହି ଅବସରରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମଙ୍କ ସହ ନବନିର୍ବାଚିତ ସାଂସଦମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଅନେକଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଥିଲା । ତେବେ ଆଜି ଏହା ସ୍ପଷ୍ଟ ହେବା ପରେ ରାଜ୍ୟବାସୀ ନିଜ ନୂଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି ।
ଆସନ୍ତା ୧୨ ତାରିଖରେ ଭୁବନେଶ୍ଵର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଥିଲେ। ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି।
ସେହିପରି ଏଥିଲାଗି ଟ୍ରାଫିକ କଟକଣାଠାରୁ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକୁ କଡାକଡି କରାଯାଇଛି। ସୁରକ୍ଷା ଦାୟିତ୍ଵରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ଦୁଇ ଜଣ ଡିଆଇଜିଙ୍କୁ ଦାୟିତ୍ଵ ଦିଆଯାଇଛି। ଜନତା ମୈଦାନରେ ଆଇଜି ପ୍ରବୀଣ କୁମାର ସୁରକ୍ଷା ଦାୟିତ୍ଵ ତଦାରଖ କରିବେ। ଡିଆଇଜି ସାର୍ଥକ ଷଡଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ କଟକଣା କଥା ବୁଝିବେ। ୧୩ ଡିସିପି, ୧୮ଜଣ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ଜଣ ଏସଆଇ ସୁରକ୍ଷା ଦାୟିତ୍ଵରେ ରହିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା। ବୁଧବାର ଭୁବନେଶ୍ଵରର ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧା ଦିନ ଛୁଟି ରହିବ। ଅପରାହ୍ନ ୧ଟାରୁ ଏହି ଛୁଟି ଲାଗୁ ହେବ।