ଭାରତୀୟ ମହିଳା ଲିଗ୍ ଫୁଟ୍ବଲ୍କୁ ଯୋଗ୍ୟତା ଅର୍ଜନ କଲା ଓଡ଼ିଶା ଏଫ୍ସି
ଭୁବନେଶ୍ବର : ଭାରତୀୟ ମହିଳା ଲିଗ୍ ଲାଗି ଯୋଗ୍ୟତା ଅର୍ଜନ କଲା ଓଡ଼ିଶା ଏଫ୍ସି । ଭୁବନେଶ୍ବରରେ ଶେଷ ହୋଇଥିବା ଓଡ଼ିଶା ମହିଳା ଲିଗ୍ରେ ଓଡ଼ିଶା ଏଫ୍ସି ବିଜେତା ହୋଇ ଏହି ଯୋଗ୍ୟତା ଅର୍ଜନ କରିଛି। ପୂର୍ବରୁ ସ୍ପୋର୍ଟ୍ସ ଓଡ଼ିଶା ରାଜ୍ୟର ପ୍ରଥମ ଦଳ ଭାବେ ଆସନ୍ତା ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଓଡ଼ିଶା ମହିଳା ଲିଗ୍ରେ ଓଡ଼ିଶା ଏଫ୍ସି ସବୁ ମ୍ୟାଚ୍ ଜିତି ବିଜେତା ହୋଇଥିଲା ବେଳେ ପୂର୍ବତଟ ରେଳବାଇ ଉପ ବିଜେତା ହୋଇଛି। ବୁଧବାର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ମଧ୍ୟ ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ପୂର୍ବତଟ ରେଳବାଇକୁ ହରାଇଥିଲା।
ମାଳତି ମୁଣ୍ଡା ୪ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା ବେଳେ ୨୫ ତମ ମିନିଟ୍ରେ କମଳା ଦେବୀ ଏହାକୁ ଶୁଝିଥିଲେ। ତେବେ ଦ୍ବିତୀୟାର୍ଦ୍ଧର ୫୪ ମିନିଟ୍ରେ ପ୍ୟାରୀ ଖାଖା ଦ୍ବିତୀୟ ଗୋଲ୍ ଦେଇ ଦଳକୁ ଜିତାଇଥିଲେ। ଅନ୍ୟ ଦୁଇ ମ୍ୟାଚ୍ ମଧ୍ୟରେ ସ୍ପୋର୍ଟ୍ସ ଓଡ଼ିଶା ଓ ଓଡ଼ିଶା ପୁଲିସ୍ ବିଜୟୀ ହୋଇଛନ୍ତି। କ୍ୟାପିଟାଲ୍ ପଡ଼ିଆରେ ସ୍ପୋର୍ଟ୍ସ ଓଡ଼ିଶା ୨-୦ ଗୋଲ୍ରେ ଓଜିପିକୁ ହରାଇଥିଲା। ଦଳ ପାଇଁ ପ୍ରତିମା ନାୟକ ୬୮ ମିନିଟ୍ ଓ ସସ୍ମିତା ଅମଙ୍ଗ ୭୨ ମିନିଟ୍ରେ ଗୋଲ ଦେଇଥିଲେ। ସପ୍ତମ ବାଟାଲିଅନ୍ ପଡ଼ିଆରେ ହୋଇଥିବା ମ୍ୟାଚ୍ରେ ଓଡ଼ିଶା ପୁଲିସ୍ ୬-୦ ଗୋଲ୍ରେ ରାଇଜିଂ ଷ୍ଟୁଡେଣ୍ଟକୁ ପରାସ୍ତ କରିଛି। ଯଶମଣି ସମଦଙ୍କ ହ୍ୟାଟ୍ରିକ୍ ଗୋଲ୍ (୨, ୧୫, ୨୫ ମିନିଟ୍) ସହ ଯବାମଣି ସୋରେନ୍ ୩୨, ୭୨ ମିନିଟ୍ରେ ଦୁଇଟି ଓ ସୋନି ବେହେରା ୮୫ ମିନିଟ୍ରେ ଗୋଟିଏ ଗୋଲ୍ ସ୍କୋର କରି ପୁଲିସ୍କୁ ଜିତାଇଥିଲେ।
ବୁଧବାର ଉଦ୍ଯାପନୀ ସମାରୋହରେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ ସଦସ୍ୟ ଅଭିଜିତ୍ ପାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପସଭାପତି ଦିଲ୍ଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିଶ୍ବରଂଜନ ଘଡ଼େଇ, କ୍ରୀଡ଼ା ବିଭାଗ ସ୍ବତନ୍ତ୍ର ଅଧିକାରୀ ଶୁଭେନ୍ଦୁ ପଣ୍ଡା, ରେଫରି ମୁଖ୍ୟ ଦୁର୍ଗାମାଧବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।