ବେଙ୍ଗାଲୁରୁ ଏଫ୍ସିକୁ ୧-୦ ଗୋଲ୍ରେ ହରାଇଲା ଓଡ଼ିଶା ଏଫ୍ସି
ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିଅମରେ ଖେଳା ଯାଇଥିବା ଆଇଏସଏଲ୍ ଭିତ୍ତିକ ମ୍ୟାଚରେ ପୁଣି କମାଲ କଲା ଓଡ଼ିଶା ଏଫ୍ସି। ଦୀର୍ଘ ୯୮୨ ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମ୍କୁ ଫେରିଥିବା ଓଡ଼ିଶା ଏଫ୍ସି ନିଜର ପ୍ରଥମ ଘରୋଇ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସକୁ ହରାଇଥିଲା। ଗୁରୁବାର ଦ୍ବିତୀୟ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୧-୦ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଦେଇଛି। ଫଳରେ ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ସହ ୯ ପଏଣ୍ଟ୍ କରାୟତ୍ତ କରି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଘରୋଇ ପଡ଼ିଆରେ ଖେଳିବା ପୂର୍ବରୁ ଓଡ଼ିଶା ଜାମ୍ସେଦପୁରରେ ଜାମସେଦପୁର ଏଫ୍ସିକୁ ହରାଇଥିଲା ବେଳେ ମୁମ୍ବାଇରେ ମୁମ୍ବାଇ ସିଟି ଏଫ୍ସିଠୁ ହାରି ବିଜୟ ଓ ପରାଜୟ ଅନୁଭୂତି ସହ ଭୁବନେଶ୍ବର ଆସିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ନନ୍ଦ କୁମାରଙ୍କୁ ଅତିଥି ୫ଟି ସଚିବ ଭିକେ ପାଣ୍ଡିଆନ୍ ପୁରସ୍କାର ପ୍ରଦାନ କରିଥିଲେ।
ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଜେରି ଓ ମୌର୍ସିଓ ଯୋଡ଼ିଙ୍କ କମାଲ୍ରେ ଓଡ଼ିଶା ଏଫ୍ସି ପେନାଲ୍ଟି କର୍ଣ୍ଣର ଅର୍ଜନ କରିନେଇଥିଲା। ହେଲେ ଏହାକୁ ଗୋଲ୍ରେ ପରିଣତ କରିପାରିନଥିଲା। ସପ୍ତମ ମିନିଟ୍ରେ ବେଙ୍ଗାଲୁରୁ ଏଫ୍ସି ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। ଏହାକୁ ଓଡ଼ିଶା ଏଫ୍ସି ଗୋଲି ଅମ୍ରିନ୍ଦର ସିଂହ ସୁନ୍ଦର ଡାଇଭ୍ ମାରି ଅଟକାଇ ଦେଇଥିଲେ। ଏହିପରି ଭାବେ ଡାହାଣପଟୁ ବେଙ୍ଗାଲୁରୁ ଏଫ୍ସି ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରୁଥିଲା। କିନ୍ତୁ ଅମ୍ରିନ୍ଦରଙ୍କ ବଳିଷ୍ଠ ରକ୍ଷଣ ଆଗରେ ସବୁ ନିଷ୍ଫଳ ହେଉଥିଲା। ୩୩ତମ ମିନିଟ୍ରେ ଓଡ଼ିଶାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସାହିଲ ତଳୁଆ ମାରିଥିଲେ। ଏହା ବେଙ୍ଗାଲୁରୁ ଡିଫେଣ୍ଡରଙ୍କ ଗୋଡ଼ରେ ବାଜି ଫେରିଯାଉଥିଲା ବେଳେ ନନ୍ଦ କୁମାର ଗୋଲ୍ ପୋଷ୍ଟର ଡାହାଣ କଡ଼କୁ ବଲ୍ ପଠାଇ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍ ବରଣ କରିବା ପରେ ସୁନିଲ ଛେତ୍ରୀଙ୍କ ଦଳ ଚାପରେ ରହିଥିଲା। ଏହା ପରେ ବେଙ୍ଗାଲୁରୁ ଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଓଡ଼ିଶା ଡିଫେଣ୍ଡର ଏବଂ ଗୋଲିଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧକୁ ଓଡ଼ିଶା ୧-୦ରେ ଶେଷ କରିଥିଲା।
ଦ୍ବିତୀୟାର୍ଦ୍ଧରେ ଓଡ଼ିଶା ମଧ୍ୟ ଉଭୟ ବାମ ଓ ଡାହାଣ ପଟୁ ଆକ୍ରମଣ କରି ବେଙ୍ଗାଲୁରୁକୁ ଘାଇଲା କରିଥିଲା। ଫଳରେ ବେଙ୍ଗାଲୁରୁ ନିଜ ଅକ୍ତିଆରକୁ ବଲ୍ ଆଣିବାକୁ କଡ଼ା ସଂଘର୍ଷ କରିଥିଲା। ଦ୍ବିତୀୟାର୍ଦ୍ଧର ୩୦ ମିନିଟ୍ ପର୍ଯ୍ୟନ୍ତ ଓଡ଼ିଶା ନିଜ ପାଖରେ ବଲ୍କୁ ରଖୁଥିଲା। ତେବେ କିଛି ଖେଳାଳି ବଦଳ କରିବା ସହ ରଣନୀତି ପରିବର୍ତ୍ତନ କରି ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିଥିଲା। ୮୩ତମ ମିନିଟ୍ରେ ଦୁଇ ଦୁଇଟି ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଅମ୍ରିନ୍ଦରଙ୍କ ଚମତ୍କାର ପ୍ରଦର୍ଶନ ସବୁ ନିଷ୍ଫଳ କରି ଦେଉଥିଲା। ଶେଷ ଆଡ଼କୁ ଓଡ଼ିଶା ପୁଣି ଆକ୍ରମଣ କରିଥିଲା। ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଦଳ ଦ୍ବିତୀୟାର୍ଦ୍ଧରେ ଗୋଲ୍ ଦେଇପାରିନଥିଲେ।