ଓଡ଼ିଶାର ଦୋଳଯାତ୍ରା, ଜାଣନ୍ତୁ ପୌରାଣିକ ତଥ୍ୟ
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ପୌରାଣିକ :
ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା – ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।
କାମଦହନ :
ଏକ ପକ୍ଷରେ ନବ ବସନ୍ତ, କୋକିଳର କୁହୁତାନ, ଚୂତବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ ଏବଂ ଅନ୍ୟ ପକ୍ଷରେ ସତୀଙ୍କର ଅକାଳମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନର । ମହାଯୋଗୀ ଶିବଙ୍କର ଧ୍ୟାନ ଭାଙ୍ଗିଲେ ହିଁ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ ଏବଂ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କ ସେନାପତି ଭାବରେ ତାରକାସୁରକୁ ନିଧନ କରି ଦେବତାଙ୍କୁ ଅଭୟ ପ୍ରଦାନ କରିବାରେ ଏକମାତ୍ର ସମର୍ଥ ।
ଗୋଟିଏ ଗୋଟିଏ କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ, ଉନ୍ମୁକ୍ତ ହେଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ଚକ୍ଷୁ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭାବ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କେହି କେହି କହନ୍ତି , ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି ।
ହୋଲିଦହନ :
ନଡ଼ା ଗଦାକରି (ଅଇଘରା/ ଅଗିରା) ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ସହିତ ସଂପୃକ୍ତ । ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବର ପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା ।
ପୁତନା ରାକ୍ଷସୀ ଉପାଖ୍ୟାନ :
କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ୟପାନ କରାଇ କୃଷ୍ଣ ଉଦ୍ୟମର କାହାଣୀକୁ ହୋଲି ଉତ୍ସବ ସହିତ ଯୋଡାଯାଇଥାଏ । ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ କେତେକ ସଂପୃକ୍ତ କରିଥାନ୍ତି । ଯେତେବେଳେ ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି । ସେଥିପାଇଁ ରାକ୍ଷସୀ ପୁତନା ପ୍ରେରିତ ହୋଇଥିଲା ଗୋପପୁରକୁ ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣକରି କ୍ଷୀର ରୂପେ ପାନ କରାଇ ସମସ୍ତ ଗୋପାଳ ଶିଶୁଙ୍କ ଜୀବନ ହରଣ କରିବା ପାଇଁ । କୃଷ୍ଣ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣା ଶୋଷଣ କରିଥିଲେ । ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା । ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି ।
ତେବେ ଶ୍ରୀମଦ ଭାଗବତର ଗୋପଲୀଳାର ଅନ୍ୟ କେତେକ କଂସ ପ୍ରେରିତ ଅସୁର, ଅସୁରିଣୀଙ୍କ ନିଧନ ସହିତ ମଧ୍ୟ ଏହି ଦୋଳଉତ୍ସବକୁ ସଂପୃକ୍ତ କରାଯାଇଥାଏ । କିନ୍ତୁ ଗୋପଲୀଳାର ସର୍ବୋକ୍ତୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ ।
ଓଡ଼ିଶାର ଦୋଳମଣ୍ଡପ :
ଓଡ଼ିଶାର ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ । ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣ ଦ୍ୱାରକୁ ଓଡ଼ିଶାର ସମସ୍ତ ଗ୍ରାମ ଏହି ତୋରଣ ଓ ଦୋଳମଣ୍ଡପର ଆଦି ରୂପ ଭାବରେ ସ୍ୱୀକାର କରିଛନ୍ତି ।
ଭୁବନେଶ୍ୱରରେ କେଦାରଗୌରୀ ନିକଟସ୍ଥ ସିଦ୍ଧେଶ୍ୱର, ମୁକ୍ତେଶ୍ୱର ମନ୍ଦିରପୁଞ୍ଜର ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳମଣ୍ଡପରେ ନିର୍ମିତ ହେବାନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନକୁ ଗ୍ରାମେ ଗ୍ରାମେ ଲୋକପ୍ରିୟ କରିପାରିଥିବା ବୈଷ୍ଣବୀୟ ପରମ୍ପରାର ଦୂରଦୃଷ୍ଟି ଓ ସୌନ୍ଦର୍ଯ୍ୟାନୁଭୂତି ପ୍ରଂଶସନୀୟ । ଏହି ମୁକ୍ତେଶ୍ୱର ତୋରଣ ଅନୁରୂପରେ ସ୍ୱର୍ଣ୍ଣଗହଣା ଓ କଣ୍ଠହାର ମଧ୍ୟ ନିର୍ମିତ ହୁଏ ।