ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ଗର୍ଜିଲା ରାଜ୍ୟ କଂଗ୍ରେସ
ଭୁବନେଶ୍ୱର : ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କ୍ରମାଗତ ଚାରି ଦିନ ହେଲାଣି ରାହୁଲ ଇଡି ଅଫିସ ଧାଉଁଛନ୍ତି । ଯାହାକୁ ନେଇ ଚାରିଆଡେ ଗର୍ଜୁଛି କଂଗ୍ରେସ । ମୋଦି ସରକାର ଇଡି ଓ ସିବିଆଇକୁ ନିଜ ସ୍ବାର୍ଥରେ ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଛି ।
ବିଜେପି ସରକାରର ଏଭଳି ପ୍ରତିଶୋଧ ରାଜନୀତି ଓ ପୋଲିସର ବର୍ବରତା ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଦିଲ୍ଲୀ କଂଗ୍ରେସ ଅଫିସରେ ପୋଲିସ ପଶି ଲାଠି ଚାର୍ଜ କରିବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୪ ଦିନ ଧରି ଜେରା କରିବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ବିଜେପି ଅସହିଷ୍ଣୁ ହୋଇ ଆକ୍ରୋଶମୂଳକ ଭାବରେ ଦଳୀୟ ନେତାଙ୍କୁ ଏଭଳି ବ୍ୟବହାର କରୁଛି ।ପୋଲିସ ଏବଂ ବିଭିନ୍ନ ସଂସ୍ଥା କେନ୍ଦ୍ର ସରକାରଙ୍କ ହାତ ବାରିସି ହୋଇ ଏଭଳି କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।ଏହା ବିରୋଧରେ ଆଜି ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ପ୍ରଦେଶ କଂଗ୍ରେସ । ଏଥିସହ ଆସନ୍ତା ଶୁକ୍ରବାର ସମସ୍ତ ଜିଲ୍ଲାର ବିଜେପି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।