ଓଡ଼ିଶାରେ ପିକ୍ରେ ପହଞ୍ଚିନି କରୋନା
ଭୁବନେଶ୍ୱର : ଓଡ଼ିଶାରେ କରୋନା ଏବେ ସର୍ବୋଚ୍ଚ ସ୍ତର (ପିକ୍)ରେ ପହଞ୍ଚିନି । ଏବେ ଆମକୁ ଅଧିକ ସତର୍କ ରହିବାକୁ ହେବେ । ଲକ୍ଡାଉନ, ସଟ୍ଡାଉନ ଚାଲିଛି । ସଂକ୍ରମଣ ଗୋଟିଏ ସର୍ବୋଚ୍ଚ ସ୍ତରକୁ ଯିବା ପରେ ଯଦି ସପ୍ତାହେ ଯାଏ ପଜିଟିଭ୍ କମିବ ତେବେ ଆମେ ପିକ୍ ଆସିଗଲା ବୋଲି କହିପାରିବା। ତେବେ ଏଇ ସପ୍ତାହରେ ଆମକୁ ଅଧିକ ଜଗି ହୋଇ ରହିବାକୁ ହେବ । ମେ’ ଶେଷ ସପ୍ତାହରେ ସଂକ୍ରମଣ ପିକ୍କୁ ଯାଇ ଖସିବ । ଏମିତି ଆଶଙ୍କା କରିଛନ୍ତି ବିଶେଷଜ୍ଞ । ୧୧ ଦିନ ହେଲା ଲକ୍ଡାଉନ୍ ଓ ସଟ୍ଡାଉନ ରହିଛି । ହେଲେ ଏହା ପରେ ବି ରାଜ୍ୟରେ କିନ୍ତୁ ପଜିଟିଭ୍ ହାରରେ ହ୍ରାସ ଆସୁନି । ଏହି ଚିତ୍ର ଏବେ ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସରକାର ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ସମ୍ ହସ୍ପିଟାଲର ବିଶିଷ୍ଟ ଡାକ୍ତର ପ୍ରଫେସର ମନୋଜ ସାହୁ କହିଛନ୍ତି, ଆଶା ଥିଲା ଏଇ ମାସ ଦ୍ୱିତୀୟ ସପ୍ତାହରେ କରୋନା କମିଯିବ ବୋଲି । ମହାରାଷ୍ଟ୍ର, ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ କମୁଛି । ହେଲେ ଓଡ଼ିଶାରେ ଆଉ ଟିକେ ବିଳମ୍ବ ହୋଇପାରେ । ସେହିପରି ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆରସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ଏବେ ଆଉ ୩/୪ ଦିନ ସର୍ବେକ୍ଷଣ କରିବାକୁ ହେବ । ସଂକ୍ରମଣ ବଢୁଛି ନା କମୁଛି । ଦେଶରେ ଅନ୍ୟ ସ୍ଥାନରେ କମୁଥିବାରୁ ରାଜ୍ୟରେ ସତର୍କ ରହିଲେ, କମିବ । ସୋରୋଲୋଜିକାଲ୍ ନେଇ ଏବେ ନିଷ୍ପତ୍ତି ହୋଇନି। ତେବେ ର୍ୟାଣ୍ଡମ୍ ସାମ୍ପଲିଂ ସର୍ଭେ ଏବେ ରାଜ୍ୟରେ ଚାଲିଛି । ଆଉ ସପ୍ତାହେ ଯାଏ ଏହା ଜାରି ରହିବ।