୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
- ଇ-ଯାନ କିଣିବାକୁ ପ୍ରୋତ୍ସାହନ ପାଇଁ ଆସିଲା ପଲିସି
- ଓଡ଼ିଶା ବାଲି ନୀତିକୁ ମଂଜୁରୀ
ଭୁବନେଶ୍ୱର : ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟରଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଅବା ବ୍ୟାଟେରୀ ଚାଳିତ ମୋଟରଯାନ ଚଳାଚଳ କରିବାକୁ ଏହି ନୀତିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହାସହିତ ରାଜ୍ୟ କ୍ୟାବିନେଟ ଆଜି ମୋଟ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତି ସମ୍ପର୍କରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଇ-ଯାନ ନୀତି ବ୍ୟତୀତ ଓଡ଼ିଶା ବାଲି ନୀତି-୨୦୨୧କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଓଡ଼ିଶା ଭେଟେନାରୀ ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ । ସେହିପରି ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି । ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ । ଜଜ୍ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍ କୁ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବ ପଂଚାୟତ । ଏହାସହ ଷ୍ଟିଲ୍ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍ କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି । ମୌସୁମୀ ଅଧିବେଶନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସେପ୍େଟମ୍ବର ୧ତାରିଖରୁ ବିଧାନସଭା ଆରମ୍ଭ ହେବ ।
ବିଦ୍ୟୁତ ଚାଳିତ ଗାଡ଼ି ବା ଇ-ଯାନ ନୀତି -୨୦୨୧କୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସି ଆପଣାଇଛି ଓଡ଼ିଶା । ବିଦ୍ୟୁତ ଚାଳିତ ଯାନକୁ ଲୋକପ୍ରିୟ କରିବାକୁ ଯୋଜନା କରାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ପ୍ରୋତ୍ସାହନ ଦେବେ । ୨୦୨୫ ସୁଦ୍ଧା ଅନ୍ୟୁନ ୨୦ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସରକାରୀ ଅଫିସ୍ ଓ କମ୍ପାନୀ ବିଦ୍ୟୁତ ଚାଳିତ ଯାନ କିଣିଲେ ରିହାତି ଅଧିକ ମିଳିବ ବୋଲି ପଲିସିରେ ରହିଛି । ଏହାସହ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରାଯାଇପାରେ । ସେହିପରି ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ । ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରୀ କର୍ମଚାରୀ ବିଦ୍ୟୁତ ଚାଳିତ ଯାନ କିଣିଲେ ଶତ ପ୍ରତିଶତ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ । ଏହା ବ୍ୟତୀତ ପୁରୁଣା ଗାଡି ଗୁଡିକୁ ସ୍କ୍ରାପ୍ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ଏ ନେଇ ଇ-ଯାନ ପଲିସିରେ ମୋହର ମାରିଛି କ୍ୟାବିନେଟ୍ ।