ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ୍ କମିଟି ବୈଠକ; ଋଣ ଯୋଗାଇଦେବା ଉପରେ ଗୁରୁତ୍ୱ
ଭୁବନେଶ୍ୱର : କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ୍ ସମୟରେ ଆବଶ୍ୟକୀୟ ଋଣ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି ।
ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ୍କମିଟି ବୈଠକରେ ଅଧ୍ୟକ୍ଷତା କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଭିତିରେ ଫସଲ ଋଣ ଏବଂ ଅନ୍ୟାନ୍ୟ ଦୀର୍ଘ ମିଆଦି ଋଣ ଯୋଗାଇଦେବା ପାଇଁ କହିଥିଲେ । କୃଷିର ବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ଦିଗରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବା ପରିପ୍ରେକ୍ଷୀରେ ଏଗୁଡ଼ିକର ସଫଳ ରୂପାୟନ ଦିଗରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁବିଧାରେ ଋଣ ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ । ବୈଠକରେ ବଳରାମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମ୍ଆଇଡିଏଚ୍ ସମେତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଂପର୍କିତ ସ୍ୱତନ୍ତ୍ର ଋଣ ଯୋଗାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତିତ ୫-‘ଟି’ ସୂତ୍ର ଅନୁପାଳନପୂର୍ବକ ଋଣ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ ସହ ଚାଷୀମାନଙ୍କୁ ସୁବିଧାରେ ଋଣ ପ୍ରଦାନର ସ୍ଥିତି ସଂପର୍କରେ ଅବଗତ କରାଇବା ନିମନ୍ତେ ବିଭାଗ ଦ୍ୱାରା ଉନ୍ନୀତ କରାଯାଇଥିବା କ୍ରେଡିଲ୍ ପୋର୍ଟାଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଆପିକଲର ପରିଚାଳନା ନିର୍ଦ୍ଦେଶକ, ନାବାର୍ଡର ମୁଖ୍ୟ ପରିଚାଳକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ, ଅର୍ଥ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଅନ୍ୟ ସମସ୍ତ ବ୍ୟାଙ୍କର ପ୍ରତିନିଧି ଦଳ ଯୋଗଦେଇଥିଲେ ।