ଆଜିଠୁ ବିଧାନସଭା ବଜେଟ ଅଧିବେଶନ
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ବିଧାନସଭାର ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏଥିରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ । ମାର୍ଚ୍ଚ ୨୫, ୨୬ ଏବଂ ୨୮ ତାରିଖ ତିନିଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨ -୨୩ ଆର୍ôଥକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଂଟ ସଂକ୍ରାନ୍ତୀୟ ବ୍ୟୟମଂଜୁରୀ ବିଲ୍ ପାରିତ ହେବ ।
ଉଲ୍ଲେଖନୀୟ ଯେ ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ , କର୍ମଚାରୀ ଓ ସାମ୍ବାଦିକମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ପୌର ନିର୍ବାଚନ ଯୋଗୁଁ ବିଧାୟକମାନେ ବ୍ୟସ୍ତ ଥିବାରୁ ଜିଲ୍ଲାସ୍ତରରେ କୋଭିଡ୍ ଟେଷ୍ଟ କରି ରିଂପୋର୍ଟ ଦାଖଲ କରିବେ । ସେମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗ ଦେଇପାରିବେ । ଏଥିପୂର୍ବରୁ ବୁଧବାର ଦିନ ରାଜ୍ୟ ପୋଲିସ ଡିଜି ସୁନିଲ ବଂଶଲ ସୁରକ୍ଷା ସମୀକ୍ଷା କରିଥିଲେ । ଡିଜିପି ବିଧାନସଭା ବାହାର ସୁରକ୍ଷା ବ୍ୟବସ୍ଥା ଦେଖିବା ସହ ଭିତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଂଚ କରିଥିଲେ । ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱ ରେ ରହିବେ । ଦୁଇଟି ସ୍ପେଶାଲ ଟାକଟିକାଲ ୟୁନିଟ୍ ମୁତୟନ ରହିବେ ।
ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ । ଟ୍ରାଫିକ ମ୍ୟାନେଜମେଂଟ ପାଇଁ ଡିସିପି ଟ୍ରାଫିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସହ ସଂଲଗ୍ନ ରାସ୍ତା ପାଇଁ କଟକଣା ଜାରି କରାଯାଇଛି । ବିଧାନସଭା ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାଷ୍ଟରକ୍ୟାଂଟିନ ପଟୁ ଅପର ପିଏମଜି ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ଦେଇ ଯାଇପାରିବେ । ମହାତ୍ମାଗାନ୍ଧୀ ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡିଗୁଡିକ ଜୟଦେବ ଭବନ ପାଖରେ ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବାକୁ ପରାମର୍ଶ ଦିଆଯାଇଛି ।