ଲୋକସଭାରେ ଓବିସି ସଂରକ୍ଷଣ ବିଲ୍ ଗୃହୀତ
ନୂଆଦିଲ୍ଲୀ : ଲୋକସଭାରେ ଓବିସି(ପଛୁଆ ବର୍ଗ) ସଂରକ୍ଷଣ ବିଲ୍କୁ ମଙ୍ଗଳବାର ମଞ୍ଜୁରୀ ମିଳିଛି। ଭୋଟିଂ ଜରିଆରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଧେୟକ ଲୋକସଭାରେ ଗୃହୀତ ହୋଇଛି। ବିଲ୍ ସପକ୍ଷରେ ୩୮୫ ଭୋଟ୍ ପଡିଥିବା ବେଳେ ବିରୋଧରେ ଗୋଟିଏ ହେଲେ ଭୋଟ୍ ପଡିନଥିଲା। ଏବେ ଏହି ବିଧେୟକକୁ ରାଜ୍ୟସଭାରେ ଗୃହୀତ ପାଇଁ ଉପସ୍ଥାପନ କରାଯିବ। ଏହା ପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ସମଗ୍ର ଦେଶରେ ଏହି ଆଇନ ଲାଗୁ ହୋଇଯିବ। ଏହି ନୂତନ ଆଇନ ଜରିଆରେ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟଗୁଡିକୁ ସ୍ଥାନୀୟସ୍ତରରେ ଜାତିକୁ ଓବିସି ତାଲିକାଭୁକ୍ତ କରିବାର ଅଧିକାର ମିଳିଯିବ। ନିକଟରେ ସୁପ୍ରିମକୋର୍ଟ ପକ୍ଷରୁ ମରାଠା ସଂରକ୍ଷଣ ଉପରେ ରୋକ୍ ଲଗାଯାଇଥିଲା।
ଏହି ବିଧେୟକ ଉପରେ ଗୃହରେ ବିତର୍କ ସମୟରେ ଅନେକ ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଜାତି ଆଧାରିତ ଜନଗଣନା କରାଇବାକୁ ମଧ୍ୟ ଦାବି କରିଛନ୍ତି। ଏହା ବ୍ୟତୀତ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରିବାକୁ ଦାବି କରିଛନ୍ତି। ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଏଆଇଏମଆଇଏମର ଅସଦୁଦ୍ଦିନ ଓଓ୍ଵେସି ସମେତ ଅନେକ ନେତା ଏହି ଦାବି କରିଥିଲେ। ଅଖିଳେଶ ଯାଦବ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା କରିବାର ସମୟ ଆସି ଯାଇଛି। ଯଦି ଆପଣ ଏମିତି କରିବେ ନାହିଁ ତେବେ ୟୁପିରେ ସମାଜବାଦ ସରକାର ଗଠନ ପରେ ଆମେ ଏମିତି କରିବୁ। କେବଳ ଏତିକି ନୁହେଁ ବିଜେପିକୁ କେନ୍ଦ୍ର ଓ ବିହାରରେ ସମର୍ଥନ ଦେଉଥିବା ଜେଡିୟୁ ମଧ୍ୟ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଛି। ସଂସଦରେ ଜେଡିୟୁର ସାଂସଦ ରାଜୀବ ରଞ୍ଜନ ସିଂହ ଏହି ଦାବି କରିଛନ୍ତି। ଏହା ପୂର୍ବରୁ ଜେଡିୟୁର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନେକ ଥର ଏମିତି ଦାବି କରି ସାରିଛନ୍ତି।