ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା ଓବିସି ଜନଗଣନା, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ପ୍ରତି ୧୦ ବର୍ଷରେ ଥରେ ଦେଶରେ ହୋଇଥାଏ ଜନଗଣନା। ହେଲେ ଦେଶରେ ଜାତି ଭିତ୍ତିକ ଜନ ଗଣନା କରିବା ପାଇଁ ବିଭିନ୍ନ ସମୟରେ ଦାବି ଉଠୁଛି। ଅନେକ ରାଜନୈତିକ ଦଳ ବିଭିନ୍ନ ସମୟରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ସଦ୍ୟ ଏପରି ଏକ ପ୍ରସଙ୍ଗ ହେଉଛି ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ ରହିଥିବା ଜାତିଙ୍କ ଜନଗଣନା କରିବା। ଓବିସି ଜନଗଣନାକୁ ନେଇ ଦେଶରେ ଅନେକ ରାଜନୀତି ହୋଇଛି।
ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ଭଳି ଅନ୍ୟାନ୍ୟ ପଛୁଆ ବର୍ଗର ଜନଗଣନା କରିବାକୁ ବିଗତ କିଛି ଦିନ ଦାବି ହୋଇଆସୁଛି। ଓବିସି ଜନଗଣନାକୁ ନେଇ ଅନେକ ରାଜନୀତି ହୋଇଛି। ବର୍ତ୍ତମାନ ଏହି ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇ ଏହାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାରେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ସମେତ ଅନ୍ୟଙ୍କୁ ନୋଟିସ ଜାରି କରି ଜବାବ ରଖିବାକୁ କହିଛନ୍ତି।
ଓକିଲ କୃଷ୍ଣ କହ୍ନେୟା ପାଲଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାରେ ପିଟିସନ ଦାଖଲ କରାଯାଇଛି। କୋର୍ଟ ଏହି ପିଟିସନ ଉପରେ ଶୁଣାଣି କରିଛନ୍ତି। ଏହି ଆବେଦନରେ ଜାତି ଭିତ୍ତିକ ସର୍ଭେ ଏବଂ ଜାତି ଭିତ୍ତିକ ଜନଗଣନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗର ବିକାଶ ପାଇଁ ଜାତି ଭିତ୍ତିକ ଜନଗଣନା କରିବାକୁ ଦାବି ହୋଇଛି।
ଏହି ଆବେଦନରେ କୁହାଯାଇଛି ଠୋସ ଆକଳନ ବିନା କୌଣସି ଠୋସ ନୀତି ପ୍ରଣୟନ କରା ଯାଇପାରିବ ନାହିଁ। ଏହି କାରଣରୁ ଓବିସି ବର୍ଗ ପାଇଁ ଜାତି ଭିତ୍ତିକ ଜନଗଣନା କରିବା ଆବଶ୍ୟକ। ଜାତି ଭିତ୍ତିକ ସର୍ବେକ୍ଷଣ ଏବଂ ଜାତି ଭିତ୍ତିକ ଜନଗଣନା ଅଭାବରୁ ସରକାର ପଛୁଆ ବର୍ଗର ସମସ୍ତ ବିଭାଗ ପାଇଁ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ଅସମର୍ଥ। ଦୃତଥ୍ୟ ବିନା ସେହି ସମାଜ ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରିବ ନାହିଁ।
ଆବେଦନରେ କୁହାଯାଇଛି ଗତ ୨୦୧୮ ବର୍ଷରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ତରଫରୁ ଏକ ଘୋଷଣା କରାଯାଇଥିଲା। ସେତେବେଳେ ସରକାର କହିଥିଲେ ଯେ ୨୦୨୧ ଜନଗଣନାରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଗଣନା ପାଇଁ ପୃଥକ ଆକଳନ କରିବେ। ହେଲେ ଏହା ସତ୍ତ୍ୱେ କେନ୍ଦ୍ର ସରକାର ଗତ ୨୦୧୭ ବର୍ଷରେ ପ୍ରସ୍ତୁତ ରୋହିଣୀ ଆୟୋଗ ରିପୋର୍ଟ ଉପସ୍ଥାପନ କରିନାହାଁନ୍ତି। ସରକାର ବର୍ତ୍ତମାନ ଏହାକୁ ଏଡାଇ ଦେଇଛନ୍ତି।
ସଂସଦର ଶୀତକାଳୀନ ଅଧିବେଶନରେ ଦେଶରେ ଜାତିଭିତ୍ତିକ ଜନଗଣନା କରିବା ପ୍ରସଙ୍ଗ ଉଠାଯାଇଥିଲା। ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଏହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ସଂସଦରେ କହିଛନ୍ତି ଯେ ସ୍ୱାଧୀନତା ପର ଠାରୁ ହୋଇଥିବା ଜନଗଣନାରେ ଭାରତ ସରକାର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ବ୍ୟତୀତ ଅନ୍ୟ କୌଣସି ଜାତିଭିତ୍ତିକ ଜନଗଣନା କରିନାହାଁନ୍ତି। ଏହା ପୂର୍ବରୁ ଦେଶରେ କୋରୋନା ମହାମାରୀ ଆରମ୍ଭ ହୋଇ ଯାଇଥିବାରୁ ଦେଶରେ ଜନଗଣନା ହୋଇ ପାରିନଥିଲା।
କେନ୍ଦ୍ରମନ୍ତ୍ରୀ ରାୟ କହିଛନ୍ତି ଯେ ଜନଗଣନାରେ ବିଭିନ୍ନ ସାମାଜିକ ଅର୍ଥନୈତିକ ମାନଦଣ୍ଡ ଯେପରିକି ଜନସଂଖ୍ୟା ଏବଂ ଶିକ୍ଷା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି, ଧର୍ମ, ଭାଷା, ବିବାହ, ପ୍ରଜନନ କ୍ଷମତା ଏବଂ ଅକ୍ଷମତା, ବୃତ୍ତି ଏବଂ ବ୍ୟକ୍ତି ବିଶେଷଙ୍କ ପ୍ରବାସ ବାବଦରେ ତଥ୍ୟ ସଂଗ୍ରହ କରିଥାଏ। ଜନଗଣନା ସର୍ବଦା ସେହି ଜାତି ଏବଂ ଜନଜାତିଙ୍କୁ ଗଣନା କରି ଯାଇଥାଏ ଯିଏ ନିର୍ଦ୍ଦିଷ୍ଟ ଭାବରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଭାବରେ ସମ୍ବିଧାନ ଆଦେଶ ୧୯୫୦ ଅନୁସାରେ ସୂଚିତ କରାଯାଇଛି।