ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ, ଦେଶରେ ସଂକ୍ରମଣ ସଂଖ୍ୟା ୩୬୨୩କୁ ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । କରୋନାର ଏହି ଭାରିଆଣ୍ଟ ଆଲ୍ଫା, ବିଟା, ଗାମା, ଡେଲଟା ଓ ଡେଲଟା ପ୍ଲସ ଠାରୁ ଅଧିକ ଶୀଘ୍ର ବ୍ୟାପୁଛି । ଏଥିପାଇଁ ଓମିକ୍ରନକୁ ନେଇ ଦୁନିଆର ଚିନ୍ତା ବଢ଼ି ଯାଇଛି । ଦେଶରେ ଦୈନିକ କରୋନା ସଂକ୍ରମଣ ଆଜି ୧ ଲକ୍ଷ ୫୯ ହଜାର ୧୩୬ ବୃଦ୍ଧି ପାଇଥିବା ବେଳେ ଓମିକ୍ରନ ସଂକ୍ରମଣ ୩ ହଜାର ୬୨୩କୁ ବୃଦ୍ଧି ପାଇଛି।
ମହାରାଷ୍ଟ୍ରରେ ଓମିକ୍ରନରେ ସର୍ବାଧିକ ୨୦୦୯ ଜଣ ସଂକ୍ରମଣ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ଦିଲ୍ଲୀରେ ୫୧୩, କର୍ଣ୍ଣାଟକରେ ୪୪୧, ରାଜସ୍ଥାନରେ ୩୭୩, କେରଳରେ ୩୩୩, ଗୁଜୁରାଟରେ ୨୦୪ ଓ ତାମିଲନାଡୁରେ ୧୮୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ହରିୟାଣା ଓ ତେଲେଙ୍ଗାନାରେ ୧୨୩ ଜଣ ଲେଖାଏଁ, ଉତ୍ତରପ୍ରଦେଶରେ ୧୧୩ ଏବଂ ଓଡ଼ିଶାରେ ୭୫ ଜଣ ଆକ୍ରାନ୍ତ ହୋଇଛନ୍ତି। ସୂଚନା ମୁତାବକ, ଏ ପର୍ଯ୍ୟନ୍ତ ଦେଶରେ ଓମିକ୍ରନ ସଂକ୍ରମଣରୁ ୧୪୦୯ ଜଣ ସୁସ୍ଥ ହୋଇଛନ୍ତି।