ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଛି । କୋଭିଡ୍ ସ୍ଥିତିରେ ଲଗାତର ଉନ୍ନତି ଘଟିବ ସହ ଏବେ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୨ ହଜାର ତଳେ ରହିଛି । ହସ୍ପିଟାଲରେ ଆଡ଼ମିଶନ ହେଉଥିବା ଲୋକଙ୍କ ସଂଖ୍ୟା ବି କମୁଛି । ବିଶେଷ କରି ଖୋର୍ଦ୍ଧା ଜିଲାରେ ମଧ୍ୟ ସଂକ୍ରମଣ ସ୍ଥିର ରହିଥିବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ।
ଖାଲି ସଂକ୍ରମଣକୁ ଦେଖି ସବୁ ବନ୍ଦ କରିଦେବା କହିଲେ ହେବନି । ବର୍ତ୍ତମାନ ଟ୍ରାଏଲ ବେସିସରେ ଦେଖିବାକୁ ପଡ଼ିବ । କୋଭିଡ ଅନୁରୂପ ନିୟମ ପାଳନ କରି ଯଦି ସ୍କୁଲ ଚଳାଇ ପାରିବା ନିଶ୍ଚିତ ଭଲ । ଅନ୍ୟ ଦେଶରେ ଓ କେରଳରେ ସଂକ୍ରମଣ ବଢ଼ିଛି । କିନ୍ତୁ ଆମର କଣ ସ୍ଥିତି ହେବ, ଏବେଠୁ ଆତଙ୍କିତ ହେବାର ନାହିଁ । ଆମେ ପ୍ରସ୍ତୁତ ଅଛୁ, ଆମର ବ୍ୟବସ୍ଥା ଅଛି । ଆଗାମୀ ୬ ମାସକୁ ନଜରରେ ରଖି ବ୍ୟବସ୍ଥାକୁ ଆକ୍ଟିଭେଟ କରି ରଖିବା । ଯଦି ୬ ମାସ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିବ, ତାହେଲେ ଆତଙ୍କିତ ହେବା ଭଳି କିଛି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେହିପରି ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ ମାମଲା ଚିହ୍ନଟ ହେଲେଣି । ସେଥିରୁ ୭୧୪ କେବଳ ବିଏମସିରୁ ଆସିଛି । ଗତ ମାସରେ ଯାହା ବିଏମସି ଏରିଆରେ ବଢ଼ିଛି । ପ୍ରତିଦିନ ୩୦ରୁ ୪୦ ଡେଙ୍ଗୁ ମାମଲା ଚିହ୍ନଟ ହେଉଛନ୍ତି । ଏହାଠୁ ଉପରକୁ ଯାଉନି । ଡେଙ୍ଗୁ ଭାଇରସ୍ ଏଲିସା ପଦ୍ଧତିରେ ଟେଷ୍ଟ ହେବା କଥା । ଘରୋଇ ହସ୍ପିଟାଲ ଏଲିସା ପଦ୍ଧତିରେ ଟେଷ୍ଟ କରୁନାହାନ୍ତି । ସେମାନେ କାର୍ଡ ଟେଷ୍ଟ କରୁଛନ୍ତି । ତେଣୁ ଫଲସ ପଜିଟିଭ ବହୁତ ଅଧିକ ଆସୁଛି । କିନ୍ତୁ ସେମାନେ ନମୁନା କ୍ୟାପିଟାଲ ହସ୍ପିଟାଲ କିମ୍ବା ଆରଏମଆରସିକୁ ପଠାଇ ପାରିବେ । ସମସ୍ତ ସହରାଞ୍ଚଳ ପିଏଚସି ଓ ସିଏଚସିରେ ଡେଙ୍ଗୁ ଟେଷ୍ଟ ବ୍ୟବସ୍ଥା ହୋଇଛି ।