ଏବେ ଭୁବନେଶ୍ୱରରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ!
ଭୁବନେଶ୍ୱର : ଦିଲ୍ଲୀ ଓ ମୁମ୍ବାଇ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।
ହସ୍ପିଟାଲ ଭଳି ସେଠାରେ ବି ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ । କମ ଲକ୍ଷଣ ଥିବା ରୋଗୀଙ୍କୁ ହୋଟେଲରେ ରଖାଯିବ । ଏଥିପାଇଁ ହସପିଟାଲ ଓ ହୋଟେଲ ମଧ୍ୟରେ ଚୁକ୍ତି କରାଯିବ । ହୋଟେଲରେ ଡାକ୍ତରୀ ଟିମ ଓ ଅକ୍ସିଜେନ ସିଲିଣ୍ଡର ବି ରହିବ । ଗୁରୁତର ହେଲେ ସେମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯିବ । ବିଏମସି କମିଶନର ଶ୍ରୀ ସିଂହ ପ୍ରାୟ ୧୫ଟି ହୋଟେଲ ସହ ଏନେଇ ଆଲୋଚନା କରିଛନ୍ତି । ଅପରପକ୍ଷରେ ହୋଟେଲ ମାଲିକମାନେ ଏହି ପ୍ରସ୍ତାବରେ ରାଜି ଥିବା ଜାଣିବାକୁ ମିଳିଛି ।