କୋଭିଡ କେୟାର କ୍ଲିନିକରେ ବିସ୍ଫୋରଣ, ଜଳିଗଲେ ୧୦ କରୋନା ଆକ୍ରାନ୍ତ
ଉତ୍ତର ମାସିଡୋନିଆ : ଉତ୍ତର ମାସିଡୋନିଆରେ ଏକ କୋଭିଡ କେୟାର କ୍ଲିନିକରେ ବିସ୍ଫୋରଣ । ଜିଅନ୍ତା ଜଳିଗଲେ ଚିକିତ୍ସାଧୀନ ୧୦ କରୋନା ଆକ୍ରାନ୍ତ । ଏନେଇ ପ୍ରଧାନମନ୍ତ୍ରୀ ଜୋରାନ୍ ଜାଏଭ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ତୁରନ୍ତ ଟେଟେଭୋ ଗସ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ଟେଟେଭେ ସହରର ଏକ କ୍ଲିନିକରେ ଯାହା ଘଟିଛି ତାହା ଅଭାବନୀୟ । ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା । ନିଆଁ ଲିଭାଯିବା ବେଳକୁ ଅନେକ ପ୍ରାଣ ହରାଇ ସାରିଥିଲେ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଭନୋ ଫିଲିପ୍ସ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଖବର । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ପ୍ରଥମେ ମଡ୍ୟୁଲାର ୟୁନିଟରେ ନିଆଁ ଲାଗିଥିଲା । ପରେ ଏଥିରେ ବିସ୍ଫୋରଣ ଘଟି ହୁହୁ ହୋଇ କ୍ଲିନିକକୁ ବ୍ୟାପି ଯାଇଥିଲା । ଅଧିକାଂଶ ଆଇସିୟୁରେ ଥିବାରୁ ଆକ୍ରାନ୍ତମାନେ ବାହାରକୁ ବାହାରି ପାରିନଥିଲେ । ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।