ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁର ସ୍ଥିତ ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲାରେ ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ । ଏଥିରେ ୬ ଡିଏସପି, ୪ ଇନ୍ସ୍ପେକ୍ଟର ସାମିଲ ହୋଇଛନ୍ତି ।
ଆୟ ବର୍ହିଭୂତ ସଂପତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମା ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାଙ୍କ ନେତୃତ୍ୱରେ ତାଙ୍କ ବିଶ୍ୱନାଥପୁରସ୍ଥିତ ବାସଭବନରେ ଚଢାଉ କରାଯାଇଥିବାବେଳେ ତାଙ୍କ ଭୁବନେଶ୍ୱର ଆର୍ଯ୍ୟ ଭିଲେଜସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢଉ କରିଥିବା ସୂଚନା ମିଳିଛି । ସୂଚନା ଯେ, ବିଶ୍ୱନାଥପୁରସ୍ଥିତ ମା’ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱରେ ଥିବାବେଳେ ମହାବିଦ୍ୟାଳୟର କୋଟିକୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିଥିବା ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଥିବାବେଳେ ପରେ ପୁଲିସ ହାତରେ ଧରାପଡି ଜେଲ ଯାଇଥିଲେ । ସେହିଦିନଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସମ୍ପତ୍ତି ଭିଜିଲାନ୍ସ ସ୍କାନର ରହିଥିଲା । ଫଳରେ ଆଜି ସକାଳ ଛଅଟାରୁ ତାଙ୍କ ଘରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢଉ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି । ଚଢାଉ ଶେଷ ହେବା ପରେ ସମ୍ପତ୍ତି ଆକଳନ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।