କୌଣସି ବି ଦେଶ ଆଫଗାନିସ୍ତାନ ଉପରେ ଆକ୍ରମଣ କରିବାକୁ ଚିନ୍ତା ନକରନ୍ତୁ, ନଚେତ୍ ସ୍ଥିତି ଭୟଙ୍କର ହେବ
କାବୁଲ : ଆଫଗାନିସ୍ତାନକୁ କବ୍ଜା କରିବା ପରେ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ କରୁଛି ତାଲିବାନ । ଏହି ପରିପ୍ରେକ୍ଷୀରେ ତାଲିବାନ କହିଛି ଯେ, କୌଣସି ଦେଶ ଆମ ଉପରେ ଆକ୍ରମଣ କରିବାର ଦୁଃସାହସ ନକରୁ । ତାଲିବାନ କହିଛି ଯେ, କୌଣସି ବି ଦେଶ ଆଫଗାନିସ୍ତାନ ଉପରେ ଆକ୍ରମଣ କରିବାକୁ ଚିନ୍ତା ନକରନ୍ତୁ । ନଚେତ୍ ସ୍ଥିତି ଭୟଙ୍କର ହେବ । ଆମେରିକା ସେନାର ପୁରା ପଲଟନ୍ ଫେରିଯିବା ପରେ ଆଫଗାନିସ୍ତାନରେ ଏବେ ଉତ୍ସବ ମନାଉଛନ୍ତି ତାଲିବାନୀ ଆତଙ୍କବାଦୀ । ଏକ କାର୍ଯ୍ୟକ୍ରମରେ ତାଲିବାନ ମୁଖପାତ୍ର ଅନାମୁଲ୍ଲା ସମାଙ୍ଗାନୀ କହିଛି, ଆଫଗାନିସ୍ତାନର ଜନସାଧାରଣ ଦେଶ ଛାଡି ଯାଆନ୍ତୁ ନାହିଁ ବରଂ ଦେଶକୁ ପୁନଃନିର୍ମାଣ ପାଇଁ ସାଥି ହୋଇ କାମ କରନ୍ତୁ । ତାଲିବାନ ମୁଖପାତ୍ର ଅନାମୁଲ୍ଲା ସମାଙ୍ଗାନୀ କହିଛି ଯେ, ଆଫଗାନିସ୍ତାନରେ ସୁରକ୍ଷାକୁ ନେଇ ସମସ୍ତ ସମାଧାନ ହୋଇସାରିଛି । ଏବେ ଲୋକମାନେ ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରାଇବା ପାଇଁ ଚିନ୍ତା କରୁଛନ୍ତି । ଇସଲାମିକ୍ ଅମୀରାତ ନେତୃତ୍ବରେ ନୂଆ ସରକାର ଆଫଗାନିସ୍ତାନର ଆର୍ଥିକ ବିକାଶ ଦିଗରେ କାମ କରିବାକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟମାନେ ସମ୍ପୂର୍ଣ୍ଣ ଭାବେ ଚାଲିଯିବା ପରେ ଏବେ କାବୁଲ ବିମାନବନ୍ଦରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭାର ତାଲିବାନୀଙ୍କ ହାତମୁଠାକୁ ଚାଲିଯାଇଛି । ମନଇଚ୍ଛା ଶାସନ କରୁଛନ୍ତି ଏପଟେ ଯିଏ ସେମାନଙ୍କ ବିରୁଦ୍ଧରେ ଯାଉଛନ୍ତି ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆମେରିକର ସେନା ଆଫଗାନିସ୍ତାନ ଛାଡିଛନ୍ତି । ସେହି ଖୁସିରେ ତାଲିବାନୀମାନେ ମସଗୁଲ ହୋଇଯାଇଛନ୍ତି ।
ଦୀର୍ଘ ୨୦ ବର୍ଷ ଧରି ଆମେରିକା ସେନା ଆଫଗାନିସ୍ତାନର ସୁରକ୍ଷା ତଥା ଶାନ୍ତି ପାଇଁ ଳଗାତାର ଭାବେ ପ୍ରୟାସ କରିଆସୁଥିଲା । ସେଠାରେ ବିପୁଳ ପରିମାଣର ସୈନ୍ୟ ମହଜୁଦ ରଖିଥିଲା ଆମେରିକା । କେବଳ ଆମେରିକା ନୁହେଁ ବରଂ ବ୍ରିଟିଶ୍, ଫ୍ରାନ୍ସ ଏବଂ ନାଟୋ ଫୋର୍ସମାନେ ମଧ୍ୟ ସେଠାରେ ଦୀର୍ଘଦିନ ହେଲା ଡେରା ପକାଇ ରହିଥିଲେ । ଏବେ କିନ୍ତୁ ସ୍ଥିତି ଓଲଟା । ନିଜ ନିଜର ସୈନ୍ୟ ବାହିନୀଙ୍କୁ ସ୍ବଦେଶ ଫେରାଇ ନେଇଛନ୍ତି ସମସ୍ତ ଦେଶ । ଯେଉଁଥି ପାଇଁ ଏବେ ଖୁସିରେ ମସଗୁଲ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ । କେବଳ ଖୁସି ନୁହେଁ ତ, କଫିନ୍ ଗୋଟିଏ ଗୋଟିଏ ଧରି ବିଭିନ୍ନ ଦେଶର ଜାତୀୟ ପତାକାକୁ ସେଥିରେ ଘୋଡାଇ ସହର ପରିକ୍ରମା କରାଉଛନ୍ତି । ଏଥିରେ ହଜାର ହଜାର ସଂଖ୍ୟାରେ ତାଲିବାନୀ ଆତଙ୍କବାଦୀ ସାମିଲ ହେବା ସହିତ ଖୁସି ମନାଉଛନ୍ତି । ଖୁସି ହେବାର କାରଣ ହେଉଛି, ଅନ୍ୟ ଦେଶର ସୈନ୍ୟମାନେ ଆଫଗାନିସ୍ତାନ ଖାଲି କରି ଫେରି ଯାଇଛନ୍ତି । ତାଲିବାନୀମାନେ ସେହି ସହରରେ ଶୋଭାଯାତ୍ରା କରିଥିଲେ ଯେଉଁଠାରେ ତାଲିବାନ ବିରୋଧୀ ଗୋଷ୍ଠୀ କିଛି ଦିନ ପୂର୍ବରୁ ଶୋଭାଯାତ୍ରା କରିଥିଲେ । କାନ୍ଧାହାରର ଏକ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ତାଲିବାନୀ ଏକାଠୀ ହୋଇ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।