ନୀଳଗିରି ଏନ୍ଏସି ନିର୍ବାଚନ : ନାମାଙ୍କନ ଦାଖଲ କଲେ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ଦାସ
ତୃତୀୟ ଦିନରେ ୪ ନାମାଙ୍କନ ପତ୍ର ଦାଖଲ
ନୀଳଗିରି : ଆସନ୍ତା ୨୪ରେ ଅନୁଷ୍ଠିତ ହେବ ନୀଳଗିରି ଏନ୍ଏସି ନିର୍ବାଚନ । ଏଥିଲାଗି ଏବେଠୁ ଉଷ୍ନତା ବଢ଼ି ଚାଲିଛି । ନିର୍ବାଚନକୁ କମ ସମୟ ଥିବାରୁ ନିର୍ବାଚନ ବୈତରଣୀ ପାର ହେବାକୁ ଦୁଇ ପ୍ରମୁଖ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ପ୍ରମୁଖ ଦଳ ଭାଜପା ଓ ବିଜେଡି ନିର୍ବାଚନରେ ବିଜୟୀ ହେବା ନେଇ ସାଧାରଣରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ବାଲେଶ୍ୱର ଜିଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୧୩ ଗୋଟି ୱାର୍ଡ଼ କାଉନସିଲର ଓ ଅଧ୍ୟକ୍ଷ ପଦ ନିମନ୍ତେ ଦୁଇ ପ୍ରମୁଖ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ପକ୍ଷରୁ ପ୍ରାର୍ଥୀଚୟନ ପ୍ରକ୍ରିୟା ଓ ନାମାଙ୍କନ ପତ୍ର ଦାଖଲ ଜୋରଦାର କରିଛନ୍ତି । ଶୁକ୍ରବାର ଏନ୍ଏସିର ମିରିଗିଣି ୪ନଂ ୱାର୍ଡ଼ ପାଇଁ ଭାଜପାର କାଉନସିଲର ପ୍ରାର୍ଥୀ ରାମଚନ୍ଦ୍ର ଦାସ (ଶୁକ) ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ପୌର ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ବୀର କିଶୋର ପାଣିଗ୍ରାହୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୪ନଂ ୱାର୍ଡ଼ ପାଇଁ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ବେହେରା କାଉନସିଲର ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଜଣେ ଖବରଦାତା ପ୍ରଫୁଲ୍ଲ କୁମାର ମହାନ୍ତି ୧୦ନଂ ୱାର୍ଡ଼ରୁ ସ୍ୱାଧୀନ କାଉନସିଲର ଓ ୭ନଂ ୱାର୍ଡ଼ରୁ ସୁକାନ୍ତି ମହାପାତ୍ର ଭାଜପା ଦଳରୁ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ସୂଚନାଥାଉକି ପ୍ରଥମ ଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ଲୋକ ଭୋଟରେ ନିର୍ବାଚିତ ହେବେ । ଏଥିପାଇଁ ଏଯାଏ କୌଣସି ଦଳ କାର୍ଡ଼ ଖୋଲିନାହାନ୍ତି କି, କେହି ମୁହଁ ଖୋଲି ଦାବିଦାରୀ ରଖୁନାହାନ୍ତି । ତଥାପି କିଏ ହେବ ଚେୟାରମ୍ୟାନ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରାର୍ଥୀଙ୍କୁ ନେଇ ସମସ୍ତେ ସସ୍ପେନ୍ସରେ ରହିଛନ୍ତି । ପୌର ନିର୍ବାଚନରେ ଭାଜପା ଓ ବିଜେଡି ମଧ୍ୟରେ ସିଧାସଳଖ ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ସବୁ ଦଳ ଏମିତି ବ୍ୟକ୍ତିତ୍ୱ ଦେବାକୁ ଚାହୁଁଛନ୍ତି ଯିଏ ଭୋଟରଙ୍କୁ ନିଜ ଯୋଗ୍ୟତା ବଳରେ ଆକର୍ଷିତ କରିପାରିବ । ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ନୀଳଗିରି ଏନ୍ଏସିରେ ଗତ ୨୦୧୪ ନିର୍ବାଚନରେ ୧୩ଟି ୱାର୍ଡ଼ରୁ ୭ଟି ବିଜେଡି ଜିତି ଥିବାବେଳେ ଭାଜପା ୧ଟି ଓ କଂଗ୍ରେସ ୨ଟି ଆସନ ସହ ସ୍ୱାଧୀନ ପ୍ରାର୍ଥୀ ୩ଟି ଜିତିଥିଲେ ।