ନୀଳଗିରି : ଦୁଇ ଦିନିଆ ବ୍ଲକସ୍ତରୀୟ ଜନଜାତି କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ନୀଳଗିରି : ନୀଳଗିରି ଥାନା ପଡ଼ିଆରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର ଦୁଇ ଦିନିଆ ବ୍ଲକସ୍ତରୀୟ ଜନଜାତି କ୍ରୀଡ଼ା ଉତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି ।
ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଆନୁଷ୍ଠାନିକ ଭାବେ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରି ଜନଜାତି କ୍ରୀଡ଼ା ଉତ୍ସବ ମାଧ୍ୟମରେ ସମସ୍ତ ପଞ୍ଚାୟତସ୍ତରରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଜର ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପରେ ବାଲେଶ୍ୱର ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମଦନ ମୋହନ ମାଝୀଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ପ୍ରକଳ୍ପ ପ୍ରଶାସକ କାରୁ ସରେନ ପ୍ରମୁଖ କ୍ରୀଡ଼ା ଉତ୍ସବର ବିଭିନ୍ନ ଖେଳକୁଦକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମଦନ ମୋହନ ମାଝି କ୍ରୀଡ଼ା ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିଲେ ।
ଉତ୍ସବରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷୀ ମାଝୀ, ବିଡିଓ ରାହୁଲ ମଣ୍ଡଳ, ସସ୍ମିତା ସିଂ, ସୁବର୍ଣ୍ଣା ମଞ୍ଜରି ସିଂ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା କ୍ରୀଡ଼ାପ୍ରେମୀଙ୍କ ସମେତ ବିଭିନ୍ନ ଆବାସିକ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।