ନୀଳଗିରି ଠାକୁରମାହଲକୁ ମିଳିଲା ନୂଆ ଓ ପୂର୍ଣ୍ଣାଙ୍ଗ କମିଟି
ନୀଳଗିରି : ନୀଳଗିରି ଠାକୁରମାହଲରେ ଦୀର୍ଘଦିନ ଧରି ଚାଲିଥିବା ଅଚଳାବସ୍ଥାର ପରିସମାପ୍ତି ଘଟି ନୂତନ ଭାବେ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । ପୂର୍ବରୁ ଗଠିତ କମିଟରେ ୨୦୧୪ମସିହାରୁ ୨୦୧୭ମସିହା ପର୍ଯ୍ୟନ୍ତ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସମେତ ନୀଳଗିରି ଉପଜିଲାପାଳଙ୍କ ସହ ନୀଳଗିରି ପୋଲିସ ଏସ୍ଡିପିଓଙ୍କୁ କମିଟିରେ ସାମିଲ କରାଯାଇ ଟ୍ରଷ୍ଟ ଗଠନ କରାଯାଇଥିଲା । ପରେ କମିଟିକୁ ସ୍ଥାଣୁ କରାଯାଇ ବିଧାୟକ ସମେତ ଉପ-ଜିଲାପାଳ ଓ ଏସଡିପିଓଙ୍କୁ ମଧ୍ୟ ବାଦ୍ ଦିଆଯାଇଥିଲା ।
ଦୀର୍ଘବର୍ଷ ଧରି ଚାଲିଥିବା ଅବ୍ୟବସ୍ଥା ପରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଦେବୋତ୍ତର କମିଶନ ଗତ ୨୬ ତାରିଖରେ ୬୫୯୧ (୫) ଅର୍ଡ଼ର ମୂଳେ ନୂତନ ଓ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । କମିଟିରେ ବଂଶାନୁକ୍ରମିକ ରାଜବଂଶ ଦାୟଦ ରାଣୀ ମନୋଜା ମଞ୍ଜରୀ ଦେବୀ ସ୍ଥାୟୀ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ନୀଳଗିରି ଉପ-ଜିଲାପାଳ, ଏସ୍ଡିପିଓ ନୀଳଗିରି ଓ ଆଇନ୍ଜୀବୀ କୃଷ୍ଣଚନ୍ଦ୍ର ନାୟକଙ୍କୁ କମିଶନ ନିଯୁକ୍ତି ପ୍ରଦାନ କରିଛନ୍ତି । ସ୍ଥାୟୀ ସଭାପତିଙ୍କ ଅନୁପସ୍ଥିତିରେ ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ସଦସ୍ୟ ମିଟିଂରେ ଭାଗନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏତଦ୍ବ୍ୟତୀତ ସ୍ଥାୟୀ ସଭାପତିଙ୍କ ଅନୁପସ୍ଥିତିରେ ଅନ୍ୟ ୪ଜଣ ସଦସ୍ୟଙ୍କ ମଧ୍ୟରୁ ଜଣକୁ ମ୍ୟାନେଜିଙ୍ଗ ଟ୍ରଷ୍ଟି ଭାବରେ ସଭାପତିତ୍ୱ କରିବା ସହିତ ମିଟିଂ ପରିଚାଳନା କରିବା ଏବଂ ସମସ୍ତ ପଞ୍ଜୀକୃତ କପି ବାଲେଶ୍ୱର ଦେବୋତ୍ତର ଇନ୍ସପେକ୍ଟର କମିଶନଙ୍କ ମାଧ୍ୟମରେ ପଠାଯିବା ପାଇଁ ନିର୍ଦ୍ଦେଶ ରହିଛି । ଫଳରେ ଦୀର୍ଘବର୍ଷ ଧରି ଚାଲିଥିବା ଅବ୍ୟବସ୍ଥାର ସମାପ୍ତି ଘଟିଛି ।