ନୀଳଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ : ଜ୍ୟୋତିର୍ମୟ ପୁଥାଳ ବିଜୟ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନିର୍ବାଚନ ଲାଗି ଦୁଇ ପ୍ରମୁଖ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଜ୍ୟୋତିର୍ମୟ ପୁଥାଳ ଗୋଟିଏ ଭୋଟ ଅଧିକ ପାଇ ବିଜୟ ହୋଇଛନ୍ତି ।
ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଦୁଇ ପ୍ରମୁଖ ଦଳର ୨୫ ସମିତିସଭ୍ୟ ସଭ୍ୟାସଭ୍ୟ ପ୍ରାର୍ଥୀ କଡ଼ା ସୁରକ୍ଷା ବଳୟରେ ନୀଳଗିରି ବ୍ଲକରେ ପ୍ରବେଶ କରିଥିଲେ । ପରେ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଟେନ୍ତୁଳିଆ ପଞ୍ଚାୟତର ସମିତିସଭ୍ୟ ଜ୍ୟୋତିର୍ମୟ ପୁଥାଳ ବିଜେଡି ସମର୍ଥନରେ ଓ ସିଆଡିମାଳ ପଞ୍ଚାୟତର ସମିତିସଭ୍ୟ ରାଜୀବ ଦାସବାବୁ ଭାଜପା ସମର୍ଥନରେ ଏହି ଦୁଇ ଦଳ ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉପାଧ୍ୟକ୍ଷ ପଦବୀ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହା ବହୁ ଗୁରୁତ୍ୱ ବହନ କରୁଥିଲା । ନୀଳଗିରି ବ୍ଲକର ଉପାଧ୍ୟକ୍ଷ ପଦ ହାତେଇବାକୁ ୧୩ ଜଣ ସମିତିସଭ୍ୟ ଆବଶ୍ୟକ ଥିବାବେଳେ ଭାଜପାର ରାଜୀବ ଦାସ ବାବୁ ପାଇଥିଲେ ୧୨ଟି ଭୋଟ ଓ ବିଜେଡିର ଜ୍ୟୋତିର୍ମୟ ପୁଥାଳ ୧୩ ଖଣ୍ଡ ଭୋଟ୍ ପାଇଥିଲେ । ନିର୍ବାଚନ ଅଧିକାରୀ ଔପଦା ବ୍ଲକର ଅତିରିକ୍ତ ତହସିଲଦାର ଶରତ ମଲିକ ଉପାଧ୍ୟକ୍ଷ ଭାବେ ଅଧିକ ଭୋଟ ପାଇଥିବା ଜ୍ୟୋତିର୍ମୟ ପୁଥାଳଙ୍କ ନାମ ଘୋଷଣା କରିଥିଲେ । ପରେ ନବ ନିର୍ବାଚିତ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତିର୍ମୟ ବିଜେଡି ଦଳର ନେତା ଓ ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ତେନ୍ତୁଳିଆ ଅଭିମୁଖେ ଜାଇଥିଲେ ।