ବିଡ଼ିଓଙ୍କ ଠାରୁ ଦାୟିତ୍ୱ ନେଲେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ

ନୀଳଗିରି : ନୀଳଗିରି ପଞ୍ଚାୟତ ସମିତି ଗଠନ ହେବା ଦିନରୁ ବ୍ଲକକୁ ଅନ୍ୟ ଦଳ ଅକ୍ତିଆର କରିଆସୁଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ବିଜେଡି ନେତୃତ୍ୱରେ ନୀଳଗିରି ବ୍ଲକର ଅଧ୍ୟକ୍ଷା ପଦ ବିଜେଡି ଦଖଲ କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ବିଡ଼ିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନିକଟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିବା ଭଉଁରିଆବାଡ଼ ଗ୍ରାମପଞ୍ଚାୟତ ତେରେଲଡ଼ିହି ଗ୍ରାମର ବାସିନ୍ଦା ଶୁଭଲକ୍ଷ୍ମୀ ମାଝୀ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ । ବୁଧବାର ସ୍ଥାନୀୟ ବିଡିଓ ଦାୟିତ୍ୱରେ ଥିବା ଅଶେଷ କୁମାର ନାୟକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ । ପରେ ବ୍ଲକ ଅଧ୍ୟକ୍ଷା ବିଡ଼ିଓଙ୍କ ଠାରୁ ଦାୟିତ୍ୱ ନେବା ସହ ଶ୍ରୀମତୀ ମାଝୀ ତାଙ୍କର ନୂତନ ଅଫିସକୁ ପୂଜାର୍ଚ୍ଚନା କରାଇ ପ୍ରବେଶ କରିଥିଲେ । ଏହି ଅବସରରେ ଶ୍ରୀମତୀ ମାଝୀ କହିଥିଲେ ଯେ, ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ବିଜେଡି ସରକାର ଅନେକ ଗୁଡ଼ିଏ ଯୋଜନା ହାତକୁ ନେଉଛନ୍ତି । ବାସଗୃହ, ସଡ଼କ, ପିଇବା ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସେବା ସାଧାରଣ ଲୋକଙ୍କୁ ଯୋଗା ଯାଉଛି । ଉକ୍ତ ଯୋଜନା ଗୁଡ଼ିକର ଗ୍ରାମାଞ୍ଚଳରେ ଫଳପ୍ରଦ କାର୍ଯ୍ୟକାରିତା ଓ ସର୍ବାଙ୍ଗୀନ ବିକାଶ ଆମର ବଡ଼ ଆହ୍ୱାନ ଓ ଗୁରୁ ଦାୟିତ୍ୱ ରହିବ । ସେହିପରି ପୂର୍ବରୁ ନୀଳଗିରି ବ୍ଲକରେ ଚାଲିଥିବା ପିସି କାରବାରକୁ ନେଇ ଖବରଦାତାଙ୍କ ପ୍ରଶ୍ନରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ପିସି କାରବାର ବନ୍ଦ ହେବା ସହ ଏହାକୁ ଉଠାଇବା ନିଜର ପ୍ରାଥମିକ କାର୍ଯ୍ୟ ବୋଲି କହିଥିଲେ ।
ସୂଚନା ଥାଉକି ଶ୍ରୀମତୀ ମାଝୀ ପ୍ରଥମଥର ପ୍ରାର୍ଥୀହୋଇ ନିର୍ବାଚନରେ ବିଜୟଲାଭ ହୋଇଥିଲେହେଁ ତାଙ୍କ ସ୍ୱାମୀ ମଦନ ମୋହନ ମାଝୀ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଅବସରପ୍ରାପ୍ତ ମହାପ୍ରବନ୍ଧକଙ୍କ ଧର୍ମପତ୍ନୀ । ସେ ଜଣେ ଉଚଶିକ୍ଷିତା ସହ ସୁଚାରୁରୂପେ ଗୃହିଣୀ ଧର୍ମ ପାଳନ କରି ସ୍ଵାମୀଙ୍କ ଅବସରପରେ ଜନସେବାକୁ ନିଜର ବ୍ରତ ଭାବି ପଂଚାୟତ ରାଜନୀତିରେ ମୈଦାନକୁ ଓହ୍ଲାଇଥିଲେ ।