ନୀଳମଣି କଲେଜର ବାର୍ଷିକ ଉତ୍ସବ
ରୂପସା : ଅନୁଭବ ହେଉଛି ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ଅନୁଭୂତି ହିଁ ଜୀବନର ଶ୍ରେଷ୍ଠ ଶିକ୍ଷା ବୋଲି ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ନୀଳମଣି ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟ ବକ୍ତା ବରିଷ୍ଠ ଖବରଦାତା ତଥା ସାହିତ୍ୟିକ ସତ୍ୟଶିବ ଦାସ ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥି ସୀମାନ୍ତ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. କ୍ଷୀତିଶ୍ୱର ଦାସ ଉତ୍ସବକୁ ଉଦ୍ଘାଟନ କରି ଧୈର୍ଯ୍ୟ, ସାହସ, ସାଧନା, ଆତ୍ମବିଶ୍ୱାସ ବଳରେ ଛାତ୍ରୀଛାତ୍ର ଶୀର୍ଷରେ ପହଞ୍ଚି ପାରିବେ ବୋଲି ବକ୍ତବ୍ୟରେ କହିଥିଲେ ।
ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଉତ୍ସବରେ ଅଧ୍ୟକ୍ଷତା କରି ଗୁରୁମାଗୁରୁଜୀଙ୍କୁ ବିଶ୍ୱାସ କଲେ ପିଲାମାନେ ସଫଳତା ପ୍ରାପ୍ତି ହୋଇଥାନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥି ବିଡ଼ିଓ ନରେନ୍ଦ୍ର ଖମାରୀ, ଅଧ୍ୟାପକ ଚନ୍ଦନ କୁମାର ଦାସ, ଶ୍ରବଣ ନାୟକ, ଜୟକୃଷ୍ଣ ସାହୁ ଅଧ୍ୟାପିକା ଅନ୍ନପୂର୍ଣ୍ଣା ରଣା ପ୍ରମୁଖ ମଞ୍ଚାସୀନ ହୋଇ ପିଲାଙ୍କ ସ୍ୱପ୍ନରେ ସମ୍ଭାବନା ନିହିତ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବିଜୟ କୁମାର ବେହେରା ଅତିଥି ପରିଚୟ, ଉପଦେଷ୍ଟା ଅଧ୍ୟାପିକା ପିନାକ୍ଷୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱେଛାସେବୀ ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅଧ୍ୟାପିକା ରୋଜାଲିନ ସ୍ୱାଇଁଙ୍କ ମଞ୍ଚ ସଂଯୋଜନାରେ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର, ପୁରସ୍କାର ବିତରଣ କରାଯାଇଥିଲା । ଡ. ଆରୁଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।