ତୃତୀୟ ଶ୍ରୀକ୍ଷେତ୍ରରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ନୀଳଗିରି : ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ମଙ୍ଗଳବାର ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ତଥା ବାଲେଶ୍ୱର ଜିଲା ନୀଳଗିରିରେ ମଙ୍ଗଳବାର ପୂର୍ବାହ୍ନରେ ନିରାଡ଼ମ୍ବର ଭାବେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ପହଣ୍ଡିରେ ସ୍ନାନମଣ୍ଡପକୁ ଅଣାଯାଇଥିଲା । ଏହି ଅବସରରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ତୃତୀୟ ଶ୍ରୀକ୍ଷେତ୍ର । ଏହି ଅବସରରେ ସକାଳେ ସେନାପଟା, ରାଜନୀତି ବନ୍ଦାପନା, ପୁଷ୍ପାଞ୍ଜଳି, ଡୋରଲାଗି ପରେ ଆରମ୍ଭ ହୋଇଥିଲା ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନଙ୍କ ଛେରା ପହଁରା ନୀତି । ଏହି ନୀତି ସରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିରାଜିତ ହେଇଥିଲେ । ମଙ୍ଗଳ ଆଳତି, ଅବକାଶ ପରେ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ମହାସ୍ନାନ ସମାପିତ ହୋଇଥିଲା । ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ, ସକାଳ ଧୂପ, ଗଜାନନ ବେଶ, ସନ୍ଧ୍ୟାରେ ଆଳତି, ଦକ୍ଷିଣ ଆଳତି ପରେ ତିନିଠାକୁର ଅଣସର ଗୃହକୁ ଯାଇଛନ୍ତି । ଏହି ଅବସରରେ ବ୍ରହ୍ମା ସରୋଜ କୁମାର ନନ୍ଦ, ବ୍ରହ୍ମା ମନୋଜ କୁମାର ନନ୍ଦ, ପ୍ରହରାଜ ହରିନାରାୟଣ ନନ୍ଦ, ରବିନ୍ଦ୍ର ମହାପାତ୍ର, ହରିବନ୍ଧୁ କର, ପ୍ରିୟବ୍ରତ କର, ପୂଣ୍ୟଶ୍ଳୋକ ନନ୍ଦ, ଦେବେନ୍ଦ୍ର ନନ୍ଦ, ଯୋଗେନ୍ଦ୍ର ନାରାୟଣ ମିଶ୍ର, ବିବେକାନନ୍ଦ କର, ରୂପେଶ ଶତପଥୀ, ସଞ୍ଜୀବ ଆଚାର୍ଯ୍ୟ, ଠାକୁର ମାହାଲର ସଦସ୍ୟ ସମେତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।