ନିଆରା ରଥଯାତ୍ରା : ପ୍ରଥମ କରି ଜଉରଥରେ ଗଡ଼ିଲେ ଜଉ ଜଗନ୍ନାଥ
ବାଲେଶ୍ବର : ସାରା ବିଶ୍ବରେ ପବିତ୍ର ରଥଯାତ୍ରା ପାଳନ କରାଯାଉଥିବା ବେଳେ ବାଲେଶ୍ବରର ଜଉକଣ୍ଢେଇ ଶିଳ୍ପୀ ମାନେ ଏକ ଭିନ୍ନ ଶୈଳୀରେ ରଥଯାତ୍ରା ପାଳିଲେ । ବାଲେଶ୍ବରର ଜଉକଣ୍ଢେଇ କଳାକୁ ଆଗେଇ ନେବା ପାଇଁ ୧୮ ଇଞ୍ଚ ଉଚ୍ଚର ଜଉରେ ତିଆରି ରଥ ତିଆରି କରି ଜଉରେ ତିଆରି ତିନି ଠାକୁରଙ୍କୁ ବସାଇ ରଥ ଟାଣିଥିଲେ । ଏଥିରେ ଜିଲ୍ଲାର ୧୦୦ ଊର୍ଦ୍ଧ୍ଵ ଶିଳ୍ପୀଙ୍କ ନିର୍ମିତ ୧୦୦୦ ରୁ ଊର୍ଦ୍ଧ୍ଵ ନରନାରୀ, ଭକ୍ତ, ଦର୍ଶକ, କୀର୍ତ୍ତନ ମଣ୍ଡଳୀ, ସାଧୁ ଇତ୍ୟାଦି ଜଉକଣ୍ଢେଇ ପ୍ରଦର୍ଶିତ ହୋଇଥିଲା ।
ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ଆୟୋଜିତ ଏହି ରଥଯାତ୍ରାକୁ ନୂଆ ବାଲେଶ୍ବର ଉନ୍ନୟନ ପରିଷଦର ସଭାପତି ଭଗବାନଦାସ ଖଣ୍ଡେଲଓଆଲ ଧୂପଦୀପରେ ଆଳତି କରି ରଥକୁ ଟାଣି ଉଦଘାଟନ କରି ଜଉରଥରେ ଜଉଜଗନ୍ନାଥ ଗଡିବା ମୋ ଜାଣିବାରେ ପ୍ରଥମ ବୋଲି କହିଥିଲେ । ଏଥିସହ ନିମନ୍ତ୍ରିତ ଅତିଥି କମଲ ବିହାରୀ ଦାସ, ଡ କରୁଣାକର ରାଉତ, ଜୟକୃଷ୍ଣ ସାହୁ, ପ୍ରଶାନ୍ତ ପଟେଲ,ସୁଧାକର ସେଠୀ, ଗୋବିନ୍ଦ ଦଳାଇ, ଦେବେଶ ପରମାଣିକ ପ୍ରମୁଖ ଉପସ୍ଥିତ ହୋଇ ଜଉରଥ ଟାଣିଥିଲେ । ଜଉରଥ ତିଆରି କରିଥିବା ଶିଳ୍ପୀ ମାୟା ନାୟକ ସହ କନକ ଲତା ଦାସ, ସୁକାନ୍ତି ସାହୁ, ଗୌରୀ ଦାସ, ସୁପ୍ରଭା ବେହେରା, ନମିତା ପଟ୍ଟନାୟକ ପ୍ରମୁଖ ବହୁତ ଜଉକଣ୍ଢେଇ ଶିଳ୍ପୀ ଜଉରଥ ଟାଣି ନିଜର ଭକ୍ତି ନୈବେଦ୍ୟ ପ୍ରଦାନ କରିଥିଲେ । ଜଉର ତିଆରି କୁନି ରଥରେ କୁନି କୁନି ଜଉର ତିନି ଠାକୁରଙ୍କୁ ଶଙ୍ଖ, ଘଣ୍ଟା ହୁଳହୁଳି ଜବାଇ ସ୍ଥାନୀୟ ବହୁତ ଜଗନ୍ନାଥ ଭକ୍ତ ଓ ଗ୍ରାମବାସୀ ରଥ ଟାଣିବା ସହ ଦର୍ଶନ ପାଇଁ ଭିଡ଼ ହୋଇଥିଲା । ମୁଖ୍ୟ ଆୟୋଜକ ଶିଳ୍ପୀ କେଶୁଦାସ କହନ୍ତି – ଜଉ ସହ ଜଗନ୍ନାଥଙ୍କର ପବିତ୍ର ସମ୍ପର୍କ । ଜଗନ୍ନାଥଙ୍କ ଦାରୁ ଦେହରେ ଜଉର ପ୍ରଲେପନ ଦେବା ଜଗନ୍ନାଥ ସଂସ୍କୃତିର ପ୍ରରାମ୍ଭରୁ ରହିଛି । ଏହି ସଂସ୍କୃତିର ଗାଥାକୁ ଲୋକଲୋଚନକୁ ଆଣିବା ସହ ଜଉକଳାକୁ ଆଗେଇ ନେବା ପାଇଁ ଏହି ପ୍ରୟାସ ପ୍ରଥମ ଥର ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗଦାଧର ମହାନ୍ତି, ଦେବାଶିଷ ପତି, ଅରୁଣ ବାରିକ, ଦିନକୃଷ୍ଣ ଧଳ, ଅଙ୍କିତ ଦାସ, ପପୁନ ପ୍ରଧାନ, ରୂପକ ଦାସ ପ୍ରମୁଖ ସହଯୋଗ କରିଥିଲେ ।