ଏନଏଫଏଚଏସ-୫ ରିପୋର୍ଟ ! ବନ୍ଧ୍ୟାକରଣରେ ସହରୀଙ୍କୁ ପଛରେ ପକାଇଲେ ଗ୍ରାମୀଣ, ଅଧେ ବ୍ୟବହାର କରୁଛନ୍ତି କଣ୍ଡୋମ
ଭୁବନେଶ୍ୱର: ଗତ ଶୁକ୍ରବାରରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ବା ଏନଏଫଏଚଏସ-୫ (୨୦୧୯-୨୦୨୧)ର ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଖିବାକୁ ମିଳିଛି। ପରିବାର ନିୟନ୍ତ୍ରଣରେ ଓଡିଶାର ଗ୍ରାମୀଣ ମହିଳାମାନେ ସହରୀଙ୍କ ଠାରୁ ଆଗୁଆ ଅଛନ୍ତି। ଅନେକ କ୍ଷେତ୍ରରେ ବେଶେଷ ଉନ୍ନତି ଆସି ନାହିଁ। କର୍ମଜୀବୀ ମହିଳାମାନେ ଅଧିକ ଆଧୁନିକ ଗର୍ଭନୀରୋଧକ ବ୍ୟବହାର କରୁଛନ୍ତି। ଏନଏଫଏଚଏସ-୫ ର ରିପୋର୍ଟରୁ ଜଣାପଡିଛି ଯେ, ୬୬.୩ ପ୍ରତିଶତ କର୍ମଜୀବୀ ଓ ୫୮.୭ ପ୍ରତିଶତ ଗୃହିଣୀ ଆଧୁନିକ ଗର୍ଭନୀରୋଧକ ବ୍ୟବହାର କରୁଛନ୍ତି।
ଏନଏଫଏଚଏସ-୫ରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା। ମୋଟ ୭୦୭ ଜିଲ୍ଲାରୁ ୬.୩୭ ଲକ୍ଷ ହାଉସହୋଲ୍ଡ ସର୍ଭେ ପରିସରକୁ ଆସିଥିଲେ। ଏଥିରେ ୭.୨୪ ଲକ୍ଷ ମହିଳା ଓ ୧.୦୧ ପୁରୁଷଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଛି। ସର୍ଭେରୁ ଜଣା ପଡିଛି ଯେ, ସର୍ବଭାରତୀୟ ସ୍ତରରେ ୧୮ ରୁ ୪୯ ବର୍ଷ ବୟସର ୩୨% ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଶାରୀରିକ, ମାନସିକ କିମ୍ବା ଯୌନ ହିଂସା ଭୋଗୁଛନ୍ତି। ସେହି ସମୟରେ ୪ ପ୍ରତିଶତ ପୁରୁଷ ଘରୋଇ ହିଂସାର ସମ୍ମୁଖୀନ ହୋଇଛନ୍ତି। ସର୍ବେକ୍ଷଣରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ବାରମ୍ବାର ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଯେଉଁମାନେ ନିଜ ପତ୍ନୀଙ୍କ ସହ ଶାରୀରିକ କିମ୍ବା ଯୌନ ହିଂସା କରନ୍ତି। ମହିଳାଙ୍କ ପ୍ରତି ଶାରୀରିକ ହିଂସା ମାମଲାରେ ୮୦% ରୁ ଅଧିକ ମାମଲାରେ ସ୍ୱାମୀ ଦାୟୀ ବୋଲି ଜଣାପଡ଼ିଛି।
ଅନ୍ୟପଟେ ଗର୍ଭନିରୋଧକକୁ ନେଇ ସର୍ଭେରେ ଅନେକ ସାଙ୍ଘାତିକ ତଥ୍ୟ ଆସିଛି। ପ୍ରତି ୩ ଜଣରୁ ଜଣେ ବା ୩୫.୧ ପ୍ରତିଶତ ପୁରୁଷ କହିଛନ୍ତି ଯେ, ଗର୍ଭନିରୋଧକ ମହିଳାଙ୍କ କାମ। ଚଣ୍ଡିଗଡର ସର୍ବାଧିକ ୬୯ ପ୍ରତିଶତ ପୁରୁଷ ଏହାକୁ ବିଶ୍ୱାସ କରନ୍ତି। ୧୯.୬ ପ୍ରତିଶତ ପୁରୁଷ ଗର୍ଭନିରୋଧକ ନେଉଥିବା ମହିଳାଙ୍କ ଉପରେ ସନ୍ଦେହ କରନ୍ତି। ଗର୍ଭନିରୋଧକ ବ୍ୟବହାର କରୁଥିବା ମହିଳା ବ୍ୟଭିଚାରୀ ହୋଇଥାନ୍ତି ବୋଲି ସେମାନେ କହିଛନ୍ତି। କେରଳର ୪୪ ପ୍ରତିଶତ ପୁରୁଷ ଗର୍ଭନିରୋଧକ ନେଉଥିବା ମହିଳାଙ୍କ ଉପରେ ସନ୍ଦେହ କରନ୍ତି। ତେବେ ଜାତୀୟସ୍ତରରେ ୨୨ ପ୍ରତିଶତ ପୁରୁଷ ଓ ଏକ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ୩୯ ପ୍ରତିଶତ ପୁରୁଷ ଓ ୪ ପ୍ରତିଶତ ମହିଳା ତମ୍ବାଖୁ ସେବନ କରନ୍ତି।
ଓଡିଶା ତଥ୍ୟ :
ପ୍ରତି ହଜାରେ ପୁରୁଷରେ ମୋଟ ମହିଳାଙ୍କ ସଂଖ୍ୟା: ୧୦୬୩ (ଗ୍ରାମାଞ୍ଚଳ- ୧୧୭୪, ସହରାଞ୍ଚଳ- ୧୦୧୦)
ସାକ୍ଷର: ପୁରୁଷ- ୮୪.୬ ପ୍ରତିଶତ, ମହିଳା- ୬୯.୫ ପ୍ରତିଶତ
ଗର୍ଭନିରୋଧକ ପଦ୍ଧତି: ୭୪.୧ ପ୍ରତିଶତ (ଗ୍ରାମାଞ୍ଚଳ- ୭୩.୬ ପ୍ରତିଶତ, ସହରାଞ୍ଚଳ-୭୪.୯ ପ୍ରତିଶତ)
ଆଧୁନିକ ଗର୍ଭନିରୋଧକ ପଦ୍ଧତି: (ଗ୍ରାମାଞ୍ଚଳ- ୪୯.୧ ପ୍ରତିଶତ, ସହରାଞ୍ଚଳ-୪୭.୨ ପ୍ରତିଶତ)
ମହିଳା ବନ୍ଧ୍ୟାକରଣ: ୨୮ ପ୍ରତିଶତ (ଗ୍ରାମାଞ୍ଚଳ- ୨୮.୮ ପ୍ରତିଶତ, ସହରାଞ୍ଚଳ- ୨୪.୪ ପ୍ରତିଶତ)
ପୁରୁଷ ବନ୍ଧ୍ୟାକରଣ: ୦.୩ ପ୍ରତିଶତ (ଗ୍ରାମାଞ୍ଚଳ- ୦.୩ ପ୍ରତିଶତ, ସହରାଞ୍ଚଳ- ୦.୨ ପ୍ରତିଶତ)
ଗର୍ଭନିରୋଧକ ବଟିକା: ୧୦.୮ ପ୍ରତିଶତ (ଗ୍ରାମାଞ୍ଚଳ- ୧୧ ପ୍ରତିଶତ, ସହରାଞ୍ଚଳ- ୧୦.୩ ପ୍ରତିଶତ)
କଣ୍ଡୋମ ବ୍ୟବହାର: ୫.୫ ପ୍ରତିଶତ (ଗ୍ରାମାଞ୍ଚଳ- ୪.୯ ପ୍ରତିଶତ, ସହରାଞ୍ଚଳ- ୮.୮ ପ୍ରତିଶତ)