ବାଲେଶ୍ୱର ଜିଲାରେ ନବବର୍ଷ ଉପଲକ୍ଷେ ଉତ୍ସବର ମାହୋଲ : ପ୍ରଶାସକ ଓ ନେତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଇଂରାଜୀ ନବବର୍ଷ ୨୦୨୩ ଧୁମଧାମରେ ପାଳନ କରାଯିବା ସହ ଉତ୍ସବର ମାହୋଲ ପରିଲକ୍ଷିତ ହୋଇଛି । ଦୁଇବର୍ଷର କୋଭିଡ୍ କଟକଣା ହଟିଥିବା ଯୋଗୁଁ ଚଳିତ ନୂଆବର୍ଷର ପ୍ରଥମ ଦିନକୁ ଲୋକେ ବେଶ ଯାକଜମକରେ ପାଳନ କରୁଥିବା ଦେଖିବାକୁ ମିଳିଛି । ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ନେତାଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ଫୁଲତୋଡ଼ା ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇ ମିଠା ଖୁଆଉଥିବାର ପରିଲକ୍ଷିତ ହୋଇଛି ।
ବିଶେଷ କରି ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ତଥା ସଂଗଠନର କର୍ମକର୍ତ୍ତାମାନେ ଜିଲାପାଳ, ପୂର୍ବାଞ୍ଚଳ ଆଇଜି ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ହାତରେ ଫୁଲତୋଡ଼ା, ମିଠା ପ୍ୟାକେଟ୍ ଓ ଭଳିିକି ଭଳି ଉପହାର ନେଇ ସକାଳୁ ସକାଳୁ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ବିଭିନ୍ନ ବର୍ଗର ଲୋକେ ଭିଡ଼ ଲଗାଇଥିଲେ । ଜିଲାବାସୀଙ୍କ ମଙ୍ଗଳ କାମନା ସହ ଜିଲାର ସାମଗ୍ରିକ ଉନ୍ନତି ପାଇଁ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସେହିପରି ରାଜନେତା ଓ ଲୋକ ପ୍ରତିନିଧିଙ୍କ ବାସଭବନରେ ମଧ୍ୟ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି । ଏହି କ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ସହଯୋଗୀ, ସମର୍ଥକଙ୍କ ସମେତ ଦଳୀୟ କର୍ମୀ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ତାଙ୍କ ବାସଭବନରେ ପହଞ୍ôଚ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ମଙ୍ଗଳ କାମନା ସହ ଓଡ଼ିଶା ବିକାଶରେ ନିଜକୁ ସାମିଲ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବରିଷ୍ଠ ସମାଜସେବୀ ସୁବାସିନୀ ଜେନା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖଙ୍କୁ ମଧ୍ୟ ବିଭିନ୍ନ ବର୍ଗର ଲୋକେ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଇଂରାଜୀ ନବବର୍ଷ ହେଲେ ମଧ୍ୟ ବାଲେଶ୍ୱରରେ ଏହାକୁ ପାଳନ କରିବା ଓ ପରସ୍ପରକୁ ଶୁଭେଚ୍ଛା ଜଣାଇବାର ନିଆରା ପରମ୍ପରାରେ ସାମିଲ ହୋଇଛନ୍ତି ସମସ୍ତେ । ଏମିତିକି ନୂଆ ବର୍ଷ ରବିବାରରେ ପଡିଥିଲେ ମଧ୍ୟ ଛୁଟି କଟାଇବା ପରିବର୍ତ୍ତେ ବିଭିନ୍ନ ବିଭାଗର କର୍ମଚାରୀ କେବଳ ଶୁଭେଚ୍ଛା, ଫୁଲତୋଡ଼ା ଓ ମିଠା ବଣ୍ଟନରେ ଗୋଟିଏ ଦିନର ଅର୍ଦ୍ଧାଧିକ ସମୟ କାଟିଥିବା ଲକ୍ଷ୍ୟ କରାଯାଇଛି ।