ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି! ସକାଳ ୬ରୁ ରାତି ୯ ପର୍ଯ୍ୟନ୍ତ ଖୋଲା, ଦର୍ଶନ ପାଇଁ ଦରକାର ନାହିଁ ଟିକା ପ୍ରମାଣପତ୍ର ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ
ଭୁବନେଶ୍ୱର : କରୋନା ସଂକ୍ରମଣ ମାମଲା ହ୍ରାସ ପରେ ଭକ୍ତଙ୍କ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ କଟକଣାମୁକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛନ୍ତି । ଏଣିକି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ କୋଭିଡ୍ ଟିକା ପ୍ରମାଣପତ୍ରର ଆବଶ୍ୟକତା ନଥିବାବେଳେ କେବଳ ମନ୍ଦିର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହାସହିତ ବରିଷ୍ଠ ନାଗରିକଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିବ ଓ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛନ୍ତି ।
ଏହି ନୂଆ ଗାଇଡଲାଇନ୍ ଆସନ୍ତା ୨୧ତାରିଖରୁ କାର୍ଯ୍ୟକ୍ଷମ ହେବ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଜାରି ଏସଓପି ଅନୁସାରେ, ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଏଣିକି ଆଉ କୋଭିଡ୍ ଟିକା ସାର୍ଟଫିକେଟ୍ କିମ୍ବା ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଭଳି କୋଭିଡ୍ ନିୟମକୁ ମାନିବା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସାନିଟାଇଜେସନ୍ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ । ଅନ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ି ତୁଳନାରେ ଏହି ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରାଥମିକତା ମିଳିବ । ଏନେଇ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେବ । ଏସବୁ ବ୍ୟତୀତ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଥିବାରୁ ସେମାନଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସଓପିରେ ଉଲ୍ଲେଖ ରହିଛି ।
ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଆସନ୍ତା ୧୯ ତାରିଖ ଅପରାହ୍ନରେ ପୁରୀରେ ପହଂଚିବେ । ୨୦ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀସ୍ଥିତ ଶ୍ରୀ ଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କରିବେ । ଏହା ପରେ ଶରଧାବାଲି ପଡ଼ିଆ ଠାରେ ଭକ୍ତି ସିଦ୍ଧାନ୍ତ ଗୋସ୍ୱାମୀଙ୍କର ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବେ । ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।