ରାଜ୍ୟରେ ଟିକାକରଣରେ ନୂଆ ରେକର୍ଡ : ଦିନକରେ ୪ ଲକ୍ଷ ଲୋକଙ୍କୁ ଟିକା
ଭୁବନେଶ୍ୱର : ରାଜ୍ୟରେ ଟିକାକରଣରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟ ସରକାର ଦୈନିକ ସାଢ଼େ ୩ ଲକ୍ଷ ଲୋକଙ୍କୁ ଟିକା ଦେବାର କ୍ଷମତା ଥିବା କହୁଥିବା ବେଳେ ଏହି ସଂଖ୍ୟା ମଧ୍ୟ ପଛରେ ପଡ଼ିଯାଇଛି। ଏହା ପୂର୍ବରୁ ଗତ ମାସ ୨୧ ତାରିଖରେ ରାଜ୍ୟରେ ୩.୩୨ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଥିଲା। ଆଜି ୧୪୮୮ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଗୋଟିଏ ଦିନରେ ରାଜ୍ୟରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାଦାନ କରାଯାଇଛି। ଏହାଫଳରେ ଓଡ଼ିଶାରେ ଇତିମଧ୍ୟରେ ମୋଟ ଟିକାକରଣ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ରେ ପହଞ୍ଚିଛି। ସୋମବାର ଗଞ୍ଜାମରେ ସର୍ବାଧିକ ୪୦ହଜାର, ବାଲେଶ୍ବରରେ ୨୬ ହଜାର ୬୩୭, କଟକରେ ୧୭ ହଜାର ୩୨, ଖୋର୍ଦ୍ଧାରେ ୧୭ ହଜାର ୭୬୧, ସୁନ୍ଦରଗଡ଼ରେ ୧୧ ହଜାର ୭୨୩, ମୟୂରଭଞ୍ଜରେ ୧୫ ହଜାର ୧୮, କେଉଁଝର ଜିଲ୍ଲାରେ ୨୦ ହଜାର ୮୦, ଯାଜପୁରରେ ୧୫ ହଜାର ୩୩୯, ବଲାଙ୍ଗୀରରେ ୧୮ ହଜାର ୨୮୭, ସମ୍ବଲପୁରରେ ୯ ହଜାର ୪୯୨ ଟିକାକରଣ କରାଯାଇଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୩ ହଜାରରୁ ୩ହଜାର ଭିତରେ ଟିକାକରଣ କରାଯାଇଛି। ୪ହଜାରରୁ ୨ହଜାର ଭିତରେ ଦେବଗଡ଼, ବୌଦ୍ଧ, ମାଲକାନଗିରି, କନ୍ଧମାଳ ଓ ପୁରୀ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଦେଶରେ ସୋମବାର ୪୫ଲକ୍ଷରୁ ଊର୍ଦ୍ଧ୍ବ ଟିକାକରଣ କରାଯାଇଛି । ମହାମାରୀ କରୋନା ବିରୋଧ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅସ୍ତ୍ର। ଯାହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି।