ଆଜିଠୁ ଭାରତୀୟ କ୍ରିକେଟ୍ର ନୂତନ ଯୁଗ : ନୂଆ କୋଚ ଓ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓଲ୍ହାଇବେ ଖେଳାଳି
ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ର ନୂତନ ଯୁଗ। ନୂଆ କୋଚ ଓ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓଲ୍ହାଇବେ ଭାରତୀୟ ଦଳର ଖେଳାଳି। ଆଉ ଏଥିରେ ବିନ୍ଧାଣି ସାଜିବେ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ଓ ନୂତନ କୋଚ୍ ରାହୁଲ ଦ୍ରାବିଡ। ଆଇସିସି ଟି-୨୦ ବିଶ୍ୱକପରେ ପରାଜୟର ଦୁଃଖ ସହିବା ପରେ ରୋହିତଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ୍ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଦ୍ରାବିଡ୍ ଓ ରୋହିତଙ୍କ ଯୋଡ଼ିଙ୍କ ପାଖରେ ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ମଜଭୁତ୍ ଟିମ୍ ପ୍ରସ୍ତୁତ କରିବା ପାଇଁ ମାତ୍ର ୧୧ ମାସର ସମୟ ରହିବ। ଏହାରି ଭିତରେ ଟିମରେ ଆବଶ୍ୟକ ପରିବର୍ତ୍ତନ ଓ ସୁଧାର କରିବାକୁ ପଡ଼ିବ। ଏଥିପାଇଁ ରୋହିତ ବାହିନୀ ପ୍ରସ୍ତୁତ ରହିଛି । କୋଚ୍ ଦ୍ରାବିଡଙ୍କ ତତ୍ଵାବଧାନରେ ମଙ୍ଗଳବାର ଝାଳବୁହା ଅଭ୍ୟାସ୍ କରିଥିଲେ ଯୁବ କ୍ରିକେଟର।
ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ନିରାଶ କରିବା ପରେ ଭାରତୀୟ ପେସ୍ ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଇଛି। ଆହତ କାରଣରୁ ପାଣ୍ଡ୍ୟା ନିଜର ଅଲରାଉଣ୍ଡର ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ଏବେ ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଦେଖା ଯାଉଛି। ଆସନ୍ତାକାଲି ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଜଣାପଡ଼ିବ ଯେ ଆୟର ପେସ୍ ବୋଲିଂ ଅଲରାଉଣ୍ଡର ପାଇଁ ଫିଟ୍ ନା ନାହିଁ। ଭାରତ ତା’ର ବ୍ୟାଟିଂ ବିଭାଗରେ ଅଧିକ ପାୱାର ହିଟର୍ ରଖିପାରେ। ଆଇପିଏଲରେ କେକେଆର ପକ୍ଷରୁ ଖେଳିଥିବା ଆୟୀ ଲମ୍ବା ଓ ବଡ଼ ଶଟ୍ ଖେଳିବାର କ୍ଷମତା ରଖିଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯେଉଁ ଅନ୍ୟ ଖେଳାଳିଙ୍କୁ ଚୟନ କରାଯାଇଛି, ସେଥିମଧ୍ୟରୁ ଋତୁରାଜ ଗାଏକ୍ୱାଡ୍, ହର୍ଷଲ୍ ପଟେଲ, ଆଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ୍ ସାମିଲ ଅଛନ୍ତି। ଚହଲଙ୍କୁ ଟି-୨୦ ବିଶ୍ୱକପ୍ ଟିମରୁ ବାଦ୍ ଦିଆଯାଇଥିବା ନିଷ୍ପତ୍ତିକୁ ନେଇ ଖୁବ୍ ବିବାଦ ହୋଇଥିଲା। ଯଶପ୍ରୀତ ବୁମ୍ରାଙ୍କୁ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ଭାରତ ଆଉଏକ ପେସ୍ ବୋଲର ସନ୍ଧାନ କରିବାକୁ ଚାହିଁବ। ଭୁବନେଶ୍ୱର କୁମାର ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ତାଙ୍କୁ ଲୟ ଫେରିପାଇବା ପାଇଁ ଆଉ ଏକ ସୁଯୋଗ ମିଳିଛି। କ୍ୟାପଟେନ୍ ରୋହିତ୍ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଅଷ୍ଟ୍ରେଲିଆ ପରିବେଶକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଯୋଗ୍ୟତା ମାପିବାକୁ ଚାହିଁବେ। କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ। ରୋହିତ୍ ଓ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍ ଇନିଂସ୍ ଓପନ୍ କରିପାରନ୍ତି। କିନ୍ତୁ ଈଶାନ୍ କିଶନ ଓ ଗାଏକ୍ୱାଡଙ୍କ ଭଳି ବିକଳ୍ପ କାରଣରୁ ଭାରତ କିଛି ପ୍ରୟୋଗ କରିପାରେ। ଏପରିକି ଭେଙ୍କଟେଶ ଆୟର କେକେଆର ପକ୍ଷରୁ ଓପନ୍ କରି ଖୁବ୍ ରନ୍ କରିଛନ୍ତି। କିନ୍ତୁ ସେ ମିଡଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ସୂର୍ଯ୍ୟକୁମାର ବିଶ୍ୱକପରେ ଲୟ ହାସଲ କରିପାରିନଥିଲେ କିନ୍ତୁ ସେ ଏଭଳି ଜଣେ ଖେଳାଳି, ଯାହାଙ୍କୁ ଅଷ୍ଟ୍ରେଲିଆ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚତୁର୍ଥ ସ୍ଥାନ ପାଇଁ ପ୍ରସ୍ତୁତ କରିବା ଦରକାର।
ବିରାଟ କୋହଲିଙ୍କ ଟି-୨୦ ଦଳର ଅଧିନାୟକ ପଦରୁ ଅବ୍ୟାହିତ ପରେ ଆଜି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ଭାରତ। ଦଳର ମଙ୍ଗ ସମ୍ଭାଳିବେ ନୂତନ ଅଧିନାୟକ ରୋହିତ ଶର୍ମା। ଉପଅଧିନାୟକ ଦାୟିତ୍ଵରେ ଅଛନ୍ତି କେଏଲ ରାହୁଲ। ଟି-୨୦ ବିଶ୍ଵ କପ୍ରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ସିରିଜ୍ ପାଇଁ ଯୁବ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଯୁବ ଖେଳାଳି। ନୂତନ ଚେହେରା ଭାବେ ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଅଭେଶ ଖାନଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ପ୍ରାକ୍ଟିସ ସେସନରେ ଯୁବ ଖେଳାଳିଙ୍କୁ ଦ୍ରାବିଡ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି। ଏହାର ଫଟୋ ବିସିସିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛି। ରୋହିତ ନିଜର ବ୍ୟାଟିଂ ସହିତ ଖେଳାଳିଙ୍କୁ ଗାଇଡ୍ କରୁଛନ୍ତି। ରାହୁଲ ଦ୍ରାବିଡ ଖୋଦ୍ ଥ୍ରୋ ଡାଉନ କରାଇ ଖେଳାଳିଙ୍କୁ ବ୍ୟାଟିଂ ଅଭ୍ୟାସ୍ କରାଇଛନ୍ତି। ଏହି ସମୟରେ ଟିମ୍ ଇଣ୍ଡିଆର ଖେଳାଳି ଜୋରଦାର ଫିଲ୍ଡିଂ, ବ୍ୟାଟିଂ ଏବଂ ବୋଲିଂ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି। ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଋଷଭ ପନ୍ତ, ଅଭେଶ ଖାନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ ସମେତ ଅନେକ ଖେଳାଳି ନଜର ଆସିଛନ୍ତି। ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ଟି-୨୦ ନଭେମ୍ବର ୧୯ରେ ରାଞ୍ଚିରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୧ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହା ପରେ ନଭେମ୍ବର ୨୫ରେ କାନପୁରରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ। ଦେଖିବାକୁ ବାକି ରହିଲା ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ସିରିଜ୍ରେ କେମିତି ପ୍ରଦର୍ଶନ କରୁଛି।