ଜାନୁଆରୀ ୧ରୁ ଲାଗୁ ହେବ କ୍ରେଡିଟ୍-ଡେବିଟ୍ କାର୍ଡର ନୂତନ ନିୟମ, ଆପଣଙ୍କୁ କିପରି କରିବ ପ୍ରଭାବିତ ? ଜାଣନ୍ତୁ କଣ ରହିଛି
ନୂଆଦିଲ୍ଲୀ : ଯଦି ଆପଣ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଜାଣି ନିଅନ୍ତୁ ଯେ ନୂଆ ବର୍ଷରୁ ଅନଲାଇନ୍ କାର୍ଡ ପେମେଣ୍ଟର ନିୟମ ବଦଳିଯିବ । ଡେବିଟ୍ ଓ କ୍ରେଡିଟ୍ କାର୍ଡର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନଗୁଡିକ କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିୟମ ଲାଗୁ କରିବାକୁ ଯାଉଛି । ଅନଲାଇନ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସମସ୍ତ ୱେବସାଇଟ୍ ଓ ପେମେଣ୍ଟ ଗେଟୱେ ଦ୍ୱାରା ଷ୍ଟୋର କରାଯାଇଥିବା ଗ୍ରାହକଙ୍କ ଡାଟା ହଟାଇବାକୁ ଓ ଏହା ସ୍ଥାନରେ ନେଣଦେଣ କରିବା ପାଇଁ ଏନକ୍ରିପ୍ଟ ଟୋକେନ୍ ବ୍ୟବହାର କରିବା ପାଇଁ କହିଛି ।
ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ବ୍ୟବସାୟୀ ୱେବସାଇଟ୍ କିମ୍ବା ଆପ୍ ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ ପେମେଣ୍ଟ ସମୟରେ ଆପଣଙ୍କର କାର୍ଡ ବିବରଣୀ ଷ୍ଟୋର କରିବାରେ ସମର୍ଥ ହେବ ନାହିଁ । ଯେଉଁ ମର୍ଚେଣ୍ଟ ୱେବସାଇଟ୍ କିମ୍ବା ଆପରେ ଆପଣଙ୍କର କାର୍ଡର ସବିଶେଷ ତଥ୍ୟ ଗଚ୍ଛିତ ଅଛି, ସେଗୁଡିକ ସେଠାରୁ ବିଲୋପ ହୋଇଯିବ । ଏହାର ପ୍ରଭାବ ଏହା ହେବ ଯେ ନୂତନ ବର୍ଷରୁ ଯଦି ଆପଣ ଆପଣଙ୍କର ଡେବିଟ୍-କ୍ରେଡିଟ୍ କାର୍ଡ ସହିତ ଅନଲାଇନରେ ସପିଂ କରନ୍ତି କିମ୍ବା କାର୍ଡକୁ କୌଣସି ପେମେଣ୍ଟ ଆପରେ ଡିଜିଟାଲ୍ ପେମେଣ୍ଟ ପାଇଁ ବ୍ୟବହାର କରନ୍ତି, ତେବେ କାର୍ଡର ବିବରଣୀ ଗଚ୍ଛିତ ରହିବ ନାହିଁ ।
ଜାନୁୟାରୀ ୧,୨୦୨୨ରୁ ଅନଲାଇନ୍ ପେମେଣ୍ଟ୍ କରିବାବେଳେ ଆପଣଙ୍କୁ ୧୬ ଅଙ୍କ ବିଶିଷ୍ଟ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନମ୍ବର ସହିତ ସମ୍ପୂର୍ଣ୍ଣ କାର୍ଡ ବିବରଣୀ ପ୍ରବେଶ କରିବାକୁ ପଡିବ କିମ୍ବା ଏନକ୍ରିପ୍ଟ ଟୋକେନର ବିକଳ୍ପ ବାଛିବାକୁ ପଡିବ । ବର୍ତ୍ତମାନ ଆପଣଙ୍କର କାର୍ଡ ନମ୍ବର ପେମେଣ୍ଟ ଆପ୍ କିମ୍ବା ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଗଚ୍ଛିତ ଅଛି ଓ ଆପଣ କେବଳ ସିଭିଭି ଏବଂ ଓଟିପି ପ୍ରବେଶ କରି ପେମେଣ୍ଟ କରିପାରିବେ । ମାର୍ଚ୍ଚ ୨୦୨୦ରେ ଆରବିଆଇ ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଡାଟା ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟୀଙ୍କୁ ସେମାନଙ୍କ ୱେବସାଇଟରେ କାର୍ଡ ସୂଚନା ସଂରକ୍ଷଣ କରିବାକୁ ଦିଆଯିବ ନାହିଁ । ସେପ୍ଟେମ୍ବର ୨୦୨୧ରେ ଆରବିଆଇ ଏହି ବିଷୟରେ ନୂତନ ନିର୍ଦ୍ଦେଶନାମା ଜାରି କରି କମ୍ପାନୀଗୁଡ଼ିକୁ ବର୍ଷ ଶେଷ ସୁଦ୍ଧା ନିୟମ ମାନିବାକୁ ଓ ସେମାନଙ୍କୁ ଟୋକେନାଇଜେସନ୍ ବିକଳ୍ପ ଦେବାକୁ କହିଥିଲା । ଜାନୁୟାରୀ ୧, ୨୦୨୧ରୁ ସେମାନଙ୍କ ସିଷ୍ଟମରୁ ଷ୍ଟୋର କ୍ରେଡିଟ୍ ଓ ଡେବିଟ୍ କାର୍ଡ ଡାଟା ବିଲୋପ କରିବାକୁ ଆରବିଆଇ ସମସ୍ତ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା ।