ବିଶ୍ବର ବିସ୍ମୟ ବିଳ୍ପବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ
ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।’ ଏହା ଏକ ସାଧାରଣ ସ୍ଲୋଗାନ ନଥିଲା । ଏହି ସ୍ଲୋଗାନ ଭାରତରେ ଦେଶପ୍ରେମର ମନୋଭାବ ଜୁଆର ସୃଷ୍ଟି କରିଥିଲା । ଏହି ସ୍ଳୋଗାନଠାରୁ ହିଁ ଭାରତର ସ୍ୱାଧୀନତାର ମୂଳଦୁଆ ପଡ଼ିଥିଲା । ୧୮୯୭ ଜାନୁଆରୀ ୨୩ରେ ନେତାଜୀ ଓଡିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାନକୀ ନାଥ ବୋଷ କଟକ ସହରର ଜଣେ ପ୍ରସିଦ୍ଧ ଓକିଲ ଥିଲେ ।
ପ୍ରାଥମିକ ଶିକ୍ଷା ପରେ ନେତାଜୀ ରେଭେନ୍ସା କଲେଜିଏଟ୍ ସ୍କୁଲରେ ଯୋଗ ଦେଇଥିଲେ । ଏହା ପରେ ସେ କୋଲକାତାର ପ୍ରେସିଡେନ୍ସି କଲେଜରେ ନାମ ଲେଖାଇଥିଲେ । ସେ ଇଞ୍ଜିନିୟରିଂ ପଢ଼ିବା ପାଇଁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ୧୯୧୯ ମସିହାରେ, ବୋଷ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଲଣ୍ଡନ ଯାଇଥିଲେ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । କିନ୍ତୁ ଦେଶ ପ୍ରତି ଥିବା ତାଙ୍କର ଅଦମ୍ୟ ପ୍ରେମ ଯୋଗୁଁ ସେ ବ୍ରିଟିଶଙ୍କ କାର୍ଯ୍ୟ କରିନଥିଲେ ଏବଂ ସିଭିଲ ସର୍ଭିସରୁ ଇସ୍ତଫା ଦେଇଥିଲେ ।
ବିବେକାନନ୍ଦଙ୍କ ଶିକ୍ଷା ଦ୍ୱାରା ନେତାଜୀ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ଶିକ୍ଷାକୁ ସେ ଆଦର୍ଶ ଭାବେ ମାନିଥିଲେ । ଚିତ୍ତରଞ୍ଜନ ଦାସ ତାଙ୍କର ରାଜନୈତିକ ପରାମର୍ଶଦାତା ଥିଲେ । ୧୯୨୩ ମସିହାରେ, ବୋଷ ଅଲ ଇଣ୍ଡିଆ ଯୁବ କଂଗ୍ରେସର ସଭାପତି ତଥା ବଙ୍ଗଳା ରାଜ୍ୟ କଂଗ୍ରେସର ସଚିବ ଭାବରେ ର୍ନିବାଚିତ ହୋଇଥିଲେ । ୧୯୨୫ ମସିହାରେ, ସେ ବୈପ୍ଳବିକ ଗତିବିଧି ସହ ଜଡିତ ଥିବାରୁ ତାଙ୍କୁ ମାଣ୍ଡଳେ କାରାଗାରକୁ ପଠାଯାଇଥିଲା ।
ନେତାଜୀଙ୍କ ନେତୃତ୍ୱରେ ୧୯୪୨ ମସିହାରେ ଜର୍ମାନୀଠାରେ ‘ଆଜାଦ ହିନ୍ଦ୍ ରେଡିଓ’ ଆରମ୍ଭ ହୋଇଥିଲା । ବ୍ରିଟିଶମାନଙ୍କଠାରୁ ଭାରତ ସ୍ୱାଧୀନତା ପାଇବା ପାଇଁ ସଂଗ୍ରାମ କରିବା ଏହି ରେଡ଼ିଓର ଉଦ୍ଦେଶ୍ୟ ଥିଲା । ଏହି ରେଡିଓରେ ନେତାଜୀ ୬ ଜୁଲାଇ ୧୯୪୪ ରେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ଭାବରେ ସମ୍ବୋଧିତ କରିଥିଲେ ।
ନେତାଜୀ ବିଶ୍ୱର ବିସ୍ମୟ ବିଳ୍ପବୀ। ଅଭୁତପୂର୍ବ ଥିଲା ତାଙ୍କର ରଣ କୌଶଳ। ବ୍ରିଟିଶ୍ ସରକାରଙ୍କୁ ଦିନେ ସେ ଚମକାଇ ଦେଉଥିଲେ।ଦିନେ ସମସ୍ତଙ୍କୁ ଚକିତକରି ସେ ହୋଇଗଲେ ଅନ୍ତର୍ଦ୍ଧାନ । ଏବେ ମଧ୍ୟ ସେ ରହସ୍ୟର ସମାଧାନ ହୋଇନାହିଁ।ନେତାଜୀଙ୍କ ଅନୁପ୍ରସ୍ଥିତିରେ ବି ତାଙ୍କ ଉଦଘୋଷଣା `ମତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି’ ଜୀବନ୍ତ ହୋଇ ରହିଛି। କଟକର ଓଡିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଜନ୍ମ ନେଇଥିଲେ ଏହି ମହାନ୍ ବିଳ୍ପବୀ।ଭାରତୀୟ ସ୍ୱାଧିନତା ସଂଗ୍ରାମର ପ୍ରଥିତଯଶା ଯୋଦ୍ଧା,ଅଦମ୍ୟ ସାହସୀ,ଦେଶପ୍ରେମୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥିରେ ମୁଁ ଆଜି ଜଣାଉଛି ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ। ପିତା ଜାନକୀ ନାଥ ବୋଷ ଓ ମାଆ ପ୍ରଭାବତୀ ଦେବୀଙ୍କ କୋଳରୁ ଭୁମିଷ୍ଠ ହୋଇଥିଲେ ସୁବାସ।ଏହି ଶିଶୁଟି ପରବର୍ତ୍ତୀ ସମୟରେ ଫିରିଙ୍ଗି ଶାସକମାନଙ୍କ ପାଇଁ ଯେ ଆତଙ୍କର କାରଣ ହେବେ ଏହା ଥିଲା କଳ୍ପନାତୀତ।
ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସି ସେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ। ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇ ଥିଲେ ।କଲିକତା ମହାନଗରୀର ମେୟର ଭାବେ ନିର୍ବାଚିତ ହେଲେ ୧୯୨୪ରେ । ୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତିପ୍ରାପ୍ତ ମୋତିଲାଲ ନେହେରୁ କମିଟି ସ୍ୱାୟତ୍ତ ଶାସନ ସପକ୍ଷରେ ମତଦେଇ ସେ ରାତାରାତି ହୋଇଗଲେ ଏକ ଚର୍ଚ୍ଚିତ ଚେହେରା। ୧୯୩୦ ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଗଲା, ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ସେ ଜେଲରୁ ମୁକ୍ତ ହେଲେ।୧୯୩୮ରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ଥିଲେ ।୧୯୩୯ ରେ ସେ ପୁନଶ୍ଚ ସେହି ପଦବୀକୁ ନିର୍ବାଚିତ ହେଲେ। ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କଲେ ।ସଶସ୍ତ୍ର ଆନ୍ଦୋଳନଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିବ ବୋଲି ତାଙ୍କର ରହିଥିଲା ଅଖଣ୍ଡ ଯୁକ୍ତି। ସେ ଇଟାଲିର ଜନନାୟକ ଗାରିବାଲ୍ଡି ଓ ମାଜିନିଙ୍କଦ୍ୱାରା ଯଥେଷ୍ଟ ଅନୁପ୍ରାଣୀତ ହୋଇ ଥିଲେ। ସୁଭାଷଙ୍କର ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତା ଠାରେ ନଜରବନ୍ଦୀ ରୂପେ ରଖିଲା ।ଭାରତର ସ୍ୱାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ତେଣୁ ସେ ସ୍ଥିର କଲେ ।୧୯୪୧ ଜାନୁଆରୀ ୧୭ ରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ଥାନ ଓ ସୋଭିଏତ ଋଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ ହେଲା।ଭାରତର ସ୍ୱାଧୀନତା ହାସଲ ପାଇଁ ସେ ତାଙ୍କୁ ସାହାଯ୍ୟ ମାଗିଲେ।ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ।ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ମଧ୍ୟ ଗଠନ କଲେ। ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତ ବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ।ମୋତେ “ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ନିର୍ବାସିତ ଭାବେ ବାସ କରୁଥିବା ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କଲେ।ସେମାନଙ୍କୁ ନେଇ ଭାରତୀୟ ସ୍ୱାଧୀନତା ଲିଗ ଗଠନ ହେଲା।ସୁଭାଷ ସିଙ୍ଗାପୁର ରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ ହେଲା। ସେହିଠାରୁ ସେ ଆହ୍ୱାନ ଦେଇଥିଲେ “ଦିଲ୍ଲୀ ଚଲୋ” ।ଏହା ସହିତ ଆରମ୍ଭ ହେଲା ଆଜାଦ ହିନ୍ଦ ଫୌଜର ଅଭିଯାନ ।୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପ ରେ ଅଗ୍ରସର ହେଉଥିବା “ଆଜାଦ ହିନ୍ଦ ଫୌଜ” ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ଇମ୍ଫାଲ ଠାରେ ତାଙ୍କୁ ପରାସ୍ତ କଲା। ସେହି ଦିନରୁ ମହାନ ବିପ୍ଳବୀ ସୁବାସ ବୋଷ ଅନ୍ତର୍ଦ୍ଧାନ ହୋଇଥିବା କୁହାଯାଏ।ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଏବେ କୁଆଡେ ପରଦା ହଟିଛି । ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଲେ ବୋଲି କୁହାଯାଉଛି। ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କୁ ଚକ୍ରାନ୍ତ କରି ମାରିଦିଆଯାଇଛି ବୋଲି ଏବେବି ବିଭିନ୍ନ ମହଲରେ ଅଭିଯୋଗ ହୁଏ।ନେତାଜୀଙ୍କ ମୃତ୍ୟୁ କିପରି ହେଲା ସେ ସଂପର୍କରେ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟର ଲିଖିତ ଜବାବ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ୧୯୪୫ ମସିହାରେ ତାଇୱାନରେ ହୋଇଥିବା ବିମାନ ଦୁର୍ଘଟଣାରେ ନେତାଜୀ କୁଆଡେ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।