ନୀରଜଙ୍କ ଜାଭେଲିନର ଦାମ ୧୦ କୋଟି, ହେବ ନିଲାମ
ନୂଆଦିଲ୍ଲୀ: ଅଲିମ୍ପକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ ୧୦ କୋଟି ଟଙ୍କା । ନୀରଜ ଯେଉଁ ଜାଭେଲିନ ଦ୍ୱାରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ, ତା’କୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଆକାରରେ ଦେଇଥିଲେ । ଏବେ ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକୁ ସଂସ୍କୃତି ମନ୍ତ୍ରଣାଳୟ ଇ-ଅକ୍ସନ ଜରିଆରେ ବିକ୍ରି କରିବାକୁ ନିଷ୍ପତି ନେଇଛି । ଏଥିରେ ନୀରଜଙ୍କ ଜାଭେଲିନ ଓ ଅଲିମ୍ପକ୍ସରେ ଭାରତ ପାଇଁ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲୀନାଙ୍କ ଗ୍ଲୋବ୍ସ ମଧ୍ୟ ରହିଛି । ଏହାବାଦ ଅନେକ ପଦକ ବିଜେତାଙ୍କ କ୍ରୀଡ଼ା ଉପକରଣକୁ ମଧ୍ୟ ନିଲାମ କରାଯିବ । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଇ-ଅକ୍ସନ ପ୍ରକ୍ରିୟା ଅକ୍ଟୋବର ୭ ଯାଏ ଚାଲିବ ।
ଅକ୍ସନର ଦ୍ୱିତୀୟ ଦିନରେ ବେଶ ଅଧିକ ଦାମର ବିଡିଂ ଦେଖିବାକୁ ମିଳିଛି । ନୀରଜଙ୍କ ଜାଭେଲିନ ଓ ଲଭଲୀନାଙ୍କ ଗ୍ଲୋବ୍ସକୁ ନେବା ପାଇଁ ୧୦ କୋଟି ଲେଖାଏ ଟଙ୍କା ଦେଖାବାକୁ ଲୋକମାନେ ଆଗ୍ରହ ଦେଖାଇଛନ୍ତି । ସେହିପରି ପାରାଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଉକ୍ତ ଜାଭେଲିନକୁ ମଧ୍ୟ ସେ ମୋଦିଙ୍କୁ ଉପହାର ଆକାରରେ ଦେଇଛନ୍ତି । ଏହାକୁ କିଣିବା ପାଇଁ ସର୍ବାଧିକ ୩ କୋଟି ଟଙ୍କାର ବିଡ୍? ଲାଗିଛି । ଭାରତ ପାଇଁ ବ୍ୟାଡମିଂଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଥିଲେ । ଉକ୍ତ ରାକେଟ ସହ ଗୋଟିଏ ବ୍ୟାଗ ମଧ୍ୟ ନିଲାମରେ ସାମିଲ ହୋଇଛି । ରାକେଟକୁ କିଣିବା ପାଇଁ ୨,୦୦,୨୦,୦୦୦ ଟଙ୍କାର ବିଡ୍? ଡକାଯାଇଛି । ସେହିପରି ମହିଳା ଟିମ୍ର ଖେଳାଳିଙ୍କ ଦସ୍ତଖତ ଥିବା ହକି ଷ୍ଟିକ୍କୁ କିଣିବା ପାଇଁ ଲୋକମାନେ ସର୍ବାଧିକ ୧,୦୦,୦୦,୫୦୦ ଟଙ୍କା ଦେବାକୁ ଆଗ୍ରହ ଦେଖାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୀରଜଙ୍କ ଜାଭେଲିନର ବେସ୍ ପ୍ରାଇସ ୧ କୋଟି ଟଙ୍କା ଓ ଲଭଲୀନଙ୍କ ଗ୍ଲୋବ୍ସର ମୂଳ ଦାମ ୮୦ ଲକ୍ଷ ଟଙ୍କା ରହିଥିଲା । ଇ-ଅକ୍ସନରୁ ମିଳିବାକୁ ଥିବା ଟଙ୍କା ନମାମୀ ଗଙ୍ଗା ମିଶନରେ ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି ।