ଏନ୍ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ଶକ୍ତ ଝଟ୍କା : ଦଳ ଛାଡିଲେ ୨ ବରିଷ୍ଠ ନେତା
ଜମ୍ମୁ : ଜମ୍ମୁରେ ନ୍ୟାସନାଲଲ କନଫରେନ୍ସକୁ(ଏନସି ) ଶକ୍ତ ଝଟକା। ଦଳର ଦୁଇ ପ୍ରମୁଖ ନେତା ଦେବେନ୍ଦ୍ର ରାଣା ଏବଂ ସୁରଜିତ ସିଂ ସ୍ଲାଥିଆ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସୋମବାର ସେମାନେ ଦିଲ୍ଲୀରେ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି। ଦଳର ମୁଖ୍ୟ ଡ.ଫାରୁକ୍ ଅବଦୁଲ୍ଲା ଶ୍ରୀ ସ୍ଲାଥିଆ ଏବଂ ଶ୍ରୀ ରାଣାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।ଜମ୍ମୁ ଅଞ୍ଚଳର ଏନସିର ପ୍ରାଦେଶିକ ସଭାପତି ଥିବା ଶ୍ରୀ ରାଣା ଦଳ ଛାଡ଼ିବାକୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଉଭୟେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଫାରୁକ୍ ଅବଦୁଲ୍ଲା ଶ୍ରୀ ସ୍ଲାଥିଆ ଏବଂ ଶ୍ରୀ ରାଣାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବୋଲି ଦଳର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜାମ୍ମୁରେ ଏନସିର ପ୍ରାଦେଶିକ ସଭାପତି ଥିବା ଶ୍ରୀ ରାଣା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏସ୍ ସ୍ଲାଥିଆ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛୁ। ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ତଥା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସାନଭାଇ ଶ୍ରୀ ରାଣା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ରାଜନୈତିକ ପରାମର୍ଶଦାତା ପଦବୀ ଛାଡିବା ପରେ ୨୦୧୧ରେ ଦଳର ପ୍ରାଦେଶିକ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ନ୍ୟାସନାଲ କନଫରେନ୍ସ ଛାଡ଼ିଥିବା ଏହି ଦୁଇ ବରିଷ୍ଠ ନେତା ଆସନ୍ତାକାଲି (ସୋମବାର) ଦିଲ୍ଲୀରେ ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।