ବାଲେଶ୍ୱର : ଅଗଷ୍ଟ ୧୦ରୁ ଆରମ୍ଭ ହେବ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ
- ୧ରୁ ୧୯ ବର୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ
ବାଲେଶ୍ୱର : ଆସନ୍ତା ଅଗଷ୍ଟ ୧୦ତାରିଖରୁ ବାଲେଶ୍ୱର ଜିଲାରେ ଜାତୀୟ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି କ୍ରମରେ ଜିଲାର ସମସ୍ତ ୧ରୁ ୧୯ ବର୍ଷ ପିଲାଙ୍କୁ କୃମିନାଶକ ଔଷଧ ଖୁଆଯିବ । ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ଜିଲା ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଟାସ୍କଫୋର୍ସ ବୈଠକରେ ସୂଚନା ଦିଆଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃମିନାଶକ ଔଷଧ ସେବନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । କୃମି ଯୋଗୁଁ ଶିଶୁ ରକ୍ତହୀନତା ଏବଂ ଅପପୁଷ୍ଟି ଜନିତ ରୋଗରେ ସଂକ୍ରମିତ ହେଉଥିବା ବେଳେ ତାର ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ତେଣୁ ସମସ୍ତ ଶିଶୁଙ୍କୁ କୃମିନାଶକ ଔଷଧ ଯେପରି ଦିଆଯାଇପାରିବ, ସେଥିନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶେଷ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍କୁଲ ଓ ଗଣଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗର ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବା ସହ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଏଥିରେ ମତପ୍ରକାଶ ପାଇଥିଲା । ୧ବର୍ଷରୁ ୫ ବର୍ଷ ବୟସ ମଧ୍ୟରେ ଥିବା ଶିଶୁମାନଙ୍କୁ କୃମିନାଶକ ସିରପ ଦିଆଯିବାକୁ ଥିବା ବେଳେ ୬ବର୍ଷରୁ ୧୯ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯିବ ।
କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ସମସ୍ତ ପିଲାମାନଙ୍କୁ(୧-୧୯ବର୍ଷ) କୃମିନାଶକ ଔଷଧ(ଆଲବେଣ୍ଡାଜୋଲ) ଖୁଆଇବେ । ଗୃହ ପରିଦର୍ଶନ ସମୟରେ ନିଜର ମୁଖକୁ ମାସ୍କ ଦ୍ୱାରା ସମ୍ପୂର୍ଣ୍ଣ ଆବୃତ ରଖିବା ସହ ସମସ୍ତ ପରିବାର ସଦସ୍ୟ ମାସ୍କ ପିନ୍ଧିବା କଥାକୁ ସୁନିଶ୍ଚିତ କରିବେ । ଶାରୀରିକ ଦୂରତା ବଜାୟ ରଖିବା ସହିତ ଟାବଲେଟ ଦେବା ପୂର୍ବରୁ ହାତକୁ ପାଣି ଓ ସାବୁନ ଦ୍ୱାରା ଭଲ ଭାବରେ ଧୋଇବେ କିମ୍ବା ସାନିଟାଇଜ କରିବେ । କୃମିନାଶକ ଔଷଧ ଦେବା ପୂର୍ବରୁ ଗୃହର ସଦସ୍ୟମାନଙ୍କ ସମ୍ବନ୍ଧରେ ଯାଂଚ କରିବେ । ଯଦି କୌଣସି କୋଭିଡ-୧୯ ରୋଗୀ ଘରେ ଥିବେ କିମ୍ବା କୌଣସି ସଦସ୍ୟଙ୍କର କୋଭିଡ-୧୯ ଲକ୍ଷଣ ଥିବ ତେବେ ସେହି ଘରେ କୃମିନାଶକ ଔଷଧ ଦେବା କାର୍ଯ୍ୟକ୍ରମ ବନ୍ଦ କରି ବ୍ଲକ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବେ । ସେହିପରି ଯେଉଁ ପିଲା ଅସୁସ୍ଥ ଥିବେ କିମ୍ବା ଅନ୍ୟ ଔଷଧ ସେବନ କରୁଥିବେ ସେମାନଙ୍କୁ କୃମିନାଶକ ଔଷଧ ଦିଆ ନ ଯାଇ ସୁସ୍ଥ ହେବା ପରେ ଦିଆଯିବାକୁ କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ଔଷଧ ସେବନ କାର୍ଯ୍ୟକ୍ରମ ପରବର୍ତ୍ତୀ ପର୍ଯ୍ୟାୟରେ କରିବାକୁ କୁହାଯାଇଛି । କେତେକ କ୍ଷେତ୍ରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେବା ଆଶଙ୍କା କରାଯାଉଥିବା ବେଳେ ଏଥିପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ଏଥିସହିତ ଜିଲା କୋଭିଡ୍ ହେଲ୍ପଲାଇନ ନମ୍ବର ୦୬୭୮୨-୨୬୮୮୩୦ କିମ୍ବା ୧୦୮ ବା ୧୦୪କୁ କଲ କରିବାକୁ ପରାମର୍ଶ ଦିଆଯାଇଛି । ଜିଲାରେ ୮ ଲକ୍ଷ ୫୦ହଜାର ୩୨୦ ପିଲାଙ୍କୁ କୃମିନାଶକ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲାର ସମସ୍ତ ବ୍ଲକରେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ ରଖାଯାଇଛି । ସେହିପରି ଭିଟାମିନ୍-ଏ ସପ୍ଲିମେଣ୍ଟେସନ ପ୍ରୋଗ୍ରାମ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ ସାରା ଜିଲାରେ ପ୍ରତ୍ୟେକ ବୁଧବାର ଦିନ (ନିୟମିତ ଟିକାକରଣ ଦିବସ) ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ୯ମାସରୁ ୬୦ମାସ ବୟସ ଶିଶୁଙ୍କୁ ଭିଟାମିନ୍ ଏ ସିରପ ଖୁଆଯିବ । ୯ରୁ ୧୨ ମାସ ଶିଶୁଙ୍କୁ ୧ମିଲି ଏବଂ ୧ରୁ ୫ବର୍ଷ ଶିଶୁଙ୍କୁ ୨ମିଲି. ଭିଟାମିନ୍ ଏ ଖୁଆଯିବ । ଏହି କାର୍ଯ୍ୟକ୍ରମରେ ଜିଲାର ୧ଲକ୍ଷ ୭୫ହଜାର ୫୯୬ ଶିଶୁଙ୍କୁ ଭିଟାମିନ୍ ଏ ଖୁଆଇବା ଲକ୍ଷ୍ୟ ରଖାଯାଇଛି । ଏତଦ୍ବ୍ୟତୀତ ନିଜ ପରିବେଶକୁ ନିର୍ମଳ ରଖିବା, ବାହାରେ ମଳତ୍ୟାଗ ନ କରିବା, ଫଳ ଓ ପନିପରିବାକୁ ସଫା ପାଣିରେ ଧୋଇବା, ନଖ ପରିଷ୍କାର ରଖିବା ଏବଂ ଖାଇବା ପୂର୍ବରୁ ଓ ଶୌଚ ପରେ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଡ଼ିଏମ୍ଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡିପିଏମ ଅନୀଲ ମହାନ୍ତି ପ୍ରମୁଖ ବୈଠକରେ ମଞ୍ଚାସୀନ ଥିବାବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆରସିଏଚ୍ ଡେପୁଟୀ ମ୍ୟାନେଜର ଏଲିନା ସାମଲ ଏ ସମ୍ପର୍କିତ ବିଭିନ୍ନ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ ।